ନୂଆଦିଲ୍ଲୀ: ପାଞ୍ଚ ଥରର “ବ୍ୟାଲୋନ୍ ଡି’ଅର’ ବିଜେତା କ୍ରିଷ୍ଟିଆନୋ ରୋନାଲଡୋ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ସେ ଆଉ ପର୍ତ୍ତୁଗାଲ ପାଇଁ ଖେଳିବେ ନାହିଁ। ଏହା ସହିତ ତାଙ୍କର ସେହି ଦୀର୍ଘ କ୍ୟାରିୟରର ଅନ୍ତ ଘଟିଛି, ଯେଉଁଥିରେ ସେ ଛଅଟି ବିଶ୍ୱକପ୍ ଖେଳିବା ସହ ଏକ ୟୁରୋପୀୟ ଟାଇଟଲ୍ ଜିତିଛନ୍ତି ଏବଂ ପୁରୁଷ ଆନ୍ତର୍ଜାତୀୟ ଫୁଟବଲ୍ ଇତିହାସରେ ସର୍ବାଧିକ ଗୋଲ୍ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ୨୦୦୪ରୁ ୨୦୨୬ ପର୍ଯ୍ୟନ୍ତ, କ୍ରମାଗତ ୨୩ ବର୍ଷ ଧରି ପର୍ତ୍ତୁଗାଲ ପାଇଁ ଗୋଲ୍ ସ୍କୋର କରିଆସୁଛନ୍ତି। ସେ ପୁରୁଷ ଅନ୍ତର୍ଜାତୀୟ ଫୁଟବଲରେ ୨୦୦ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଅତିକ୍ରମ କରିଥିବା ପ୍ରଥମ ଖେଳାଳି ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ମୋଟ ୨୩୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯାହା ପୁରୁଷ ଫୁଟବଲ ଇତିହାସରେ ସର୍ବାଧିକ। ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବେ “ୟୁରୋ ୨୦୦୪’ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସମ୍ମାନଜନକ କ୍ୟାରିୟରର ଏକ ଦୁଃଖଦ ସମାପ୍ତି ଘଟିଛି। କୋଚ୍ ଜର୍ଜ ଜେସସ୍ଙ୍କ ସହ ମତଭେଦ ହେବା ପରେ ରୋନାଲଡୋ ଜାତୀୟ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ଦୀର୍ଘ ଭିଡିଓ ବାର୍ତ୍ତା ମାଧ୍ୟମରେ ୪୧ ବର୍ଷୀୟ ରୋନାଲଡୋ କହିଛନ୍ତି, “ପର୍ତ୍ତୁଗାଲର ଜନସାଧାରଣ, ଆଜି ସେହି ଦିନ ଆସିଯାଇଛି, ଯେତେବେଳେ ମୋତେ ଆମ ଜାତୀୟ ଦଳର ୭ ନମ୍ବର ଜର୍ସି ଫେରାଇ ଦେବାକୁ ପଡ଼ିବ।’ “ମୁଁ କେବେ ବି ଏହାକୁ କେବଳ ନିଜର ବୋଲି ଭାବି ନଥିଲି, କିନ୍ତୁ ୨୩ ବର୍ଷ ଧରି ମୋତେ ଏହି ଜର୍ସି ପିନ୍ଧିବାର, ଏହାର ସମ୍ମାନ ରକ୍ଷା କରିବାର ଏବଂ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ଏହାକୁ ନେଇ ଖେଳିବାର ସୌଭାଗ୍ୟ ଓ ଦାୟିତ୍ୱ ମିଳିଥିଲା।’ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପର୍ତ୍ତୁଗାଲ ଫୁଟବଲର ମୁଖ୍ୟ ଆଧାର ସାଜିଥିବା ୪୧ ବର୍ଷୀୟ ରୋନାଲଡୋ, ଦଳକୁ “ୟୁରୋ ୨୦୧୬’ ଟାଇଟଲ୍ ଏବଂ ଦୁଇଟି “ୟୁଇଏଫଏ ନେସନ୍ସ ଲିଗ୍’ ଟ୍ରଫି ଜିତାଇବାରେ ସାହାଯ୍ୟ କରିଥିଲେ। ସେ ପର୍ତ୍ତୁଗାଲ ପାଇଁ ଛଅଟି ବିଶ୍ୱକପ୍ ଖେଳିଥିଲେ, ଯେଉଁଥିରେ ତାଙ୍କର ଶେଷ ଅଭିଯାନ “ରାଉଣ୍ଡ ଅଫ୍ ୧୬’ରେ ସ୍ପେନ୍ ବିପକ୍ଷରେ ୧-୦ ଗୋଲରେ ପରାଜୟ ସହ ଶେଷ ହୋଇଥିଲା। କ୍ରିଷ୍ଟିଆନୋଙ୍କ ନାମରେ ଏକ ବିଶେଷ ରେକର୍ଡ ମଧ୍ୟ ରହିଛି; ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ବିଶ୍ୱକପ୍ର ଛଅଟି ଭିନ୍ନ ଭିନ୍ନ ସଂସ୍କରଣରେ ଗୋଲ୍ ସ୍କୋର ପର୍ତ୍ତୁଗାଲ୍ ଫୁଟବଲ୍ ଫେଡେରେସନ୍ ଏକ ବିବୃତ୍ତି ଜାରି କରି ଦେଶ ପାଇଁ ରୋନାଲଡୋଙ୍କ ଅବଦାନ ନିମନ୍ତେ ଗଭୀର କୃତଜ୍ଞତା ଏବଂ ଅତ୍ୟଧିକ ପ୍ରଶଂସା ବ୍ୟକ୍ତ କରିଛି। ଫେଡେରେସନ୍ କହିଛି, କ୍ରିଷ୍ଟିଆନୋ ରୋନାଲଡୋ ପର୍ତ୍ତୁଗାଲର ସମ୍ମାନ ଓ ପରିଚୟକୁ ବୃଦ୍ଧି କରିଛନ୍ତି ଏବଂ ଯୁବପିଢ଼ିର ଅନେକ ପିଢ଼ିଙ୍କୁ ଅନୁପ୍ରାଣିତ କରିଛନ୍ତି, ଯେଉଁମାନେ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ସ୍ୱପ୍ନ ଦେଖନ୍ତି। ଆମ ମଧ୍ୟରୁ ଅନେକଙ୍କ ପାଇଁ, ସେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି!’ ଏଥିରେ କୁହାଯାଇଛି ଯେ, ସେମାନେ ରୋନାଲଡୋଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଛନ୍ତି, “ଯେଉଁଠାରେ ପ୍ରଶଂସକ ଏବଂ ସମଗ୍ର ଦେଶ ମିଶି ସେହି ଖେଳାଳିଙ୍କୁ ପୁନର୍ବାର ସମ୍ମାନ ଜଣାଇପାରିବେ ଏବଂ ଉତ୍ସବ ପାଳନ କରିପାରିବେ, ଯିଏ ଆମକୁ ଅନେକ କିଛି ଦେଇଛନ୍ତି।’ ୨୦୦୩ ମସିହାରେ କାଜାଖସ୍ତାନ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଲୁଇସ୍ ଫିଗୋଙ୍କ ସ୍ଥାନରେ ଖେଳି ରୋନାଲଡୋ ପର୍ତ୍ତୁଗାଲ୍ ପାଇଁ ପଦାର୍ପଣ କରିଥିଲେ; ସେତେବେଳ ପର୍ଯ୍ୟନ୍ତ ପର୍ତ୍ତୁଗାଲ୍ କୌଣସି ପ୍ରମୁଖ ଟ୍ରଫି ଜିତି ନଥିଲା। ଏହା ପରେ, ସେ ଏବଂ ତାଙ୍କ ପରବର୍ତ୍ତୀ ପିଢ଼ିର ପ୍ରତିଭାବାନ ସାଥୀ ଖେଳାଳିମାନେ ମିଶି ପର୍ତ୍ତୁଗାଲକୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଏକ ନିୟମିତ ଉପସ୍ଥିତିରେ ପରିଣତ କଲେ। ପର୍ତ୍ତୁଗାଲ୍ ୨୦୧୬ ୟୁରୋରେ ନିଜର ପ୍ରଥମ ପ୍ରମୁଖ ଟାଇଟଲ୍ ଜିତିଥିଲା ଏବଂ ୨୦୧୯ ଓ ୨୦୨୫ ରେ “ନେସନ୍ସ ଲିଗ୍’ ବିଜୟୀ ହୋଇଥିଲା।

ରୋନାଲଡୋ କହିଛନ୍ତି, “ଜାତୀୟ ଦଳ ସହ ମୋର ସମ୍ପୂର୍ଣ୍ଣ କ୍ୟାରିୟର ମଧ୍ୟରେ, ମୁଁ ସର୍ବଦା ନିଜ ସୀମାଠାରୁ ଅଧିକ କିଛି କରିବାକୁ ଚେଷ୍ଟା କରିଛି। ମୁଁ ଜିତିବାକୁ ଚାହୁଁଥିଲି। ମୁଁ ଆହୁରି ଭଲ ହେବାକୁ ଚାହୁଁଥିଲି। ମୁଁ ଇତିହାସ ସୃଷ୍ଟି କରିବାକୁ ଚାହୁଁଥିଲି।’ ରୋନାଲଡୋ କହିଛନ୍ତି, “ଏମିତି କିଛି ଚମତ୍କାର ଅପରାହ୍ନ ଓ ରାତି ଆସିଥିଲା। ଏମିତି କିଛି ବିଜୟ ମିଳିଥିଲା, ଯାହାକୁ ମୁଁ କେବେବି ଭୁଲିପାରିବି ନାହିଁ। ପୁଣି ଏମିତି କିଛି ପରାଜୟ ମଧ୍ୟ ଥିଲା, ଯାହା ବିଷୟରେ ମନେ ପକାଇଲେ ଆଜି ବି କଷ୍ଟ ହୁଏ।’ ସେ ଆହୁରି ମଧ୍ୟ କହିଲେ, “ମୁଁ ଭୁଲ୍ କରିଛି। ମୁଁ କଷ୍ଟ ପାଇଛି। ଏମିତି କିଛି ମୁହୂର୍ତ୍ତ ମଧ୍ୟ ଆସିଛି ଯେତେବେଳେ ମୁଁ ପର୍ତ୍ତୁଗାଲର ଜନସାଧାରଣଙ୍କୁ ସେହି ଜିନିଷ ଦେଇପାରି ନାହିଁ ଯାହାକୁ ସେମାନେ ଅତ୍ୟନ୍ତ ଆନ୍ତରିକତାର ସହ ଚାହୁଁଥିଲେ। କିନ୍ତୁ ମୁଁ କେବେ ବି ହାର ମାନିନାହିଁ ଏବଂ ପର୍ତ୍ତୁଗାଲର ପ୍ରତିନିଧିତ୍ୱ କରିବା ନେଇ ଗର୍ବ ଅନୁଭବ କରିବା କେବେ ବି ବନ୍ଦ କରିନାହିଁ।’
