ଅହମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୨୫ତମ ମୁକାବିଲା ରୋମାଞ୍ଚକର ହୋଇଛି। ଏହି ମ୍ୟାଚରେ ଗୁଜରାଟ ବିଜୟୀ ହୋଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସକୁ ୫ ୱିକେଟ୍ରେ ପରାସ୍ତ କରିଛି। ଦଳ ୧୯.୪ ଓଭରରେ ୫ଟି ୱିକେଟ ହରାଇ ୧୮୧ ରନ୍ କରିଛି। ଅଧିନାୟକ ଶୁବମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୫୦ଟି ବଲ୍ର ସାମ୍ନା କରି ୮୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୮ଟି ଚୌକା ଏବଂ ୪ଟି ଛକା ସାମିଲ କରିଥିଲେ। ଏଥି ସହିତ ଗୁଜରାଟ କ୍ରମାଗତ ତୃତୀୟ ମ୍ୟାଚ୍ରେ ବିଜୟୀ ହୋଇଛି। ଗୁଜରାଟ ପୂର୍ବରୁ ଦିଲ୍ଲୀ ଓ ଲକ୍ଷ୍ନୌକୁ ପରାସ୍ତ କରିଥିଲା। ୧୮୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍ ଏବଂ ସାଈ ସୁଦର୍ଶନ ପ୍ରଥମ ୱିକେଟ୍ ପାଇଁ ୫୭ରନ୍ର ଭାଗିଦାରୀ କରିଥିଲେ। ଆଉଟ୍ ହେବା ପୂର୍ବରୁ ସୁଦର୍ଶନ ବ୍ୟକ୍ତିଗତ ଭାବେ ୨୨ ରନ୍ ସଂଗ୍ରହ କରିଥିଲେ। ସେ ୧୬ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ। ଗୁଜରାଟ ଦ୍ୱିତୀୟ ୱିକେଟ୍ର ପତ୍ତନ ବେଳକୁ ୯୫ ରନ୍ ସଂଗ୍ରହ କରିସାରିଥିଲା ବେଳେ ତୃତୀୟ ୱିକେଟ୍ ବେଳକୁ୧୪୧ ରନ୍ ସଂଗ୍ରହ କରିଥିଲା। କୋଲକାତାର ଦ୍ୱିତୀୟ ଶିକାର ହୋଇଥିଲେ ଜୋସ୍ ବଟଲର। ସେ ୧୫ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ବଳରେ ୨୫ ରନ୍ ସଂଗ୍ରହ କରିଥିଲେ। ୱିସିଂଟନ୍ ସୁନ୍ଦର ୧୩ଟି ବଲ୍ ସାମ୍ନା କରିଥିଲେ ଏବଂ ଦଳ ପାଇଁ ୧୩ ରନ୍ ଯୋଡ଼ିଥିଲେ। ଆୟୋଜକ ଗୁଜରାଟ ଟାଇଟନ୍ସ ଟସ୍ ହାରି ପ୍ରଥମେ ବୋଲିଂ କରିଥିଲା। କୋଲକାତାର ଅଧିନାୟକ ଆଜିଙ୍କ୍ୟ ରହାଣେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ନିର୍ଦ୍ଧରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା।କୋଲକାତା ପାଇଁ ଏକମାତ୍ର ବ୍ୟାଟର ଭାବେ କ୍ୟାମରନ୍ ଗ୍ରିନ୍ ସଫଳତାର ସହିତ ବ୍ୟାଟିଂ କରିଥିଲେ। ଜଣକ ପରେ ଜଣେ ଖେଳାଳି ଆଉଟ୍ ହୋଇ ପାଭିଲିଅନ୍ ଫେରି ଯାଉଥିବା ବେଳେମଧ୍ୟକ୍ରମର ବିଦେଶୀ ଖେଳାଳି ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଗ୍ରିନ୍ ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୫୫ଟି ବଲ୍ ଖେଲି ଥିଲେ ଏବଂ ୭ଟି ଚୌକା ସହିତ ୪ଟି ଛକାମାରିଥିଲେ। କୋଲକାତା ପାଇଁ ରୋଭମ୍ୟାନ୍ ପାୱେଲ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୦ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ସହିତ ୨୭ ରନ୍ କରିଥିଲେ। ଟିମ୍ ସେଫର୍ଟ ୧୪ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୯ ରନ୍ କରିଥିଲେ। ସେହିପରି ରମନଦୀପ ସିଂହ ୮ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୭ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟରମାନଙ୍କର ବ୍ୟକ୍ତିଗତ ସ୍କୋର ନୈରାଶ୍ୟଜନକ ଥିଲା। ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୯ ରନ୍ ଖର୍ଚ୍ଚ କରିଥିଲେ। ମହମଦ ସିରାଜ ଏବଂ ଅଶୋକ ଶର୍ମା ୨-୨ ୱିକେଟ୍ ନେଇଥିଲା ବେଳେ ପ୍ରସିଦ୍ଧ କୃଷ୍ଣ ଓ ରସିଦ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
