ବାରିପଦା; ରାଜ୍ୟ ସବ୍-ଜୁନିଅର୍ ରଗବି ଫୁଟବଲ୍ ଚାମ୍ପିଅନସିପ୍-୨୦୨୬ରେ ମୟୂରଭଞ୍ଜର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳକ ବିଭାଗରେ ଚାମ୍ପିଅନ୍ ହୋଇଥିବା ବେଳେ ବାଳିକା ବିଭାଗରେ ଦଳ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛି। ଯାଜପୁର ଜିଲ୍ଲାର ଦଶରଥପୁର ହାଇସ୍କୁଲସ୍ଥିତ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ୍ କମ୍ପେ୍ଲକ୍ସଠାରେ ଓଡ଼ିଶା ରଗବି ଫୁଟବଲ୍ ଆସୋସିଏସନ୍ ଓ ଯାଜପୁର ରଗବି ଫୁଟବଲ୍ ଆସୋସିଏସନ୍ର ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବାଳକ ବିଭାଗର ଫାଇନାଲ୍ରେ ଫ୍ୟୁଚର ଷ୍ଟାର୍ ୧୫-୧୦ ପଏଣ୍ଟରେ କିସ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା। ସେହିପରି ବାଳିକା ବିଭାଗରେ ଫ୍ୟୁଚର ଷ୍ଟାର୍ ୧୫-୧୦ ପଏଣ୍ଟରେ କେନ୍ଦୁଝରକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିଲା। ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀ ଦୀର୍ଘଦିନ ଧରି ମୟୂରଭଞ୍ଜର ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କୁ କ୍ରୀଡ଼ା ସହ ଯୋଡ଼ି ସେମାନଙ୍କ ପ୍ରତିଭା ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ସୀମିତ ସୁଯୋଗ ଓ ସମ୍ବଳ ମଧ୍ୟରେ ନିରନ୍ତର ଅଭ୍ୟାସ, ଶୃଙ୍ଖଳା ଓ କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରି ଏକାଡେମୀର ଖେଳାଳିମାନେ ପୁଣିଥରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଏହି ସଫଳତା ମୟୂରଭଞ୍ଜର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇଥିବା ବେଳେ ଏକାଡେମୀର ଖେଳାଳି, ପ୍ରଶିକ୍ଷକ ଓ ସହଯୋଗୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଯୁବ ସମାଜସେବୀ ରାକେଶ ସିଂ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ଦୁଇ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମୟୂରଭଞ୍ଜ ଜିଲ୍ଲା ରଗ୍ବୀ ସଂଘ, ଓଡ଼ିଶା ରଗ୍ବୀ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ସମସ୍ତ ଖେଳାଳି ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।
