ୱାଶିଂଟନ୍: ଆମେରିକା ସିନେଟ୍ ଉପରେ ଡେମୋକ୍ରାଟ୍ମାନେ ପୁନର୍ବାର ନିୟନ୍ତ୍ରଣ ହାସଲ କରିଛନ୍ତି। ଏହା ୱାଶିଂଟନ୍ରେ ରିପବ୍ଲିକାନ୍ ଦଳର ଶାସନ ଉପରେ ଏକ କଡ଼ା ଆଘାତ ସଦୃଶ ହୋଇଥିବା ବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଂଗ୍ରେସ (ସଂସଦ) ପକ୍ଷରୁ ଏକ ନୂତନ ପ୍ରତିରୋଧ ଯୁଗର ଆରମ୍ଭ କରିଛି। ମଙ୍ଗଳବାର ଶେଷ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ, ଅତ୍ୟଧିକ ମୂଲ୍ୟବୃଦ୍ଧି, ଇରାନ ଯୁଦ୍ଧ ଏବଂ ସରକାରୀ ଦୁର୍ନୀତି ନେଇ ଭୋଟରଙ୍କ ମଧ୍ୟରେ ଥିବା ଗଭୀର ଅସନ୍ତୋଷ ପ୍ରତିଫଳିତ ହୋଇଛି। ହାଉସ୍ (ପ୍ରତିନିଧି ସଭା) ଫଳାଫଳ ସମ୍ପର୍କରେ କିଛି କହିବା ଏବେ ବି ବହୁତ ଶୀଘ୍ର ହେବ, କିନ୍ତୁ ଡେମୋକ୍ରାଟ୍ମାନେ ସେଠାରେ ମଧ୍ୟ ବହୁମତ ହାସଲ କରିବା ଲକ୍ଷ୍ୟରେ ସାତୋଟି ଆସନ ନିଜ ଦଖଲକୁ ନେଇସାରିଛନ୍ତି। ସିନେଟ୍ ଉପରେ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦୁଇ ବର୍ଷକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏହା ତାଙ୍କର ବିଭିନ୍ନ ଯୋଜନାକୁ ଆଗକୁ ବଢ଼ାଇବାର କ୍ଷମତାକୁ ସୀମିତ କରିପାରେ, ଯେଉଁଥିରେ ସୁପ୍ରିମକୋର୍ଟରେ ଏକ ରକ୍ଷଣଶୀଳ ପରିବର୍ତ୍ତନ ବଜାୟ ରଖିବାର ତାଙ୍କ ଆଶା ମଧ୍ୟ ଅନ୍ତର୍ଭୁକ୍ତ।

ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଡେମୋକ୍ରାଟ୍ଙ୍କ ଯୋଜନାକୁ ଅଟକାଇବା ପାଇଁ ନିଜର “ଭିଟୋ’ କ୍ଷମତା ବ୍ୟବହାର କରିବେ, ଯାହା ୱାଶିଂଟନ୍ରେ ଏକ ଅଚଳାବସ୍ଥା ସୃଷ୍ଟି ହେବାର ସମ୍ଭାବନାକୁ ସୂଚିତ କରୁଛି। ଦେଶର ଅନ୍ୟତମ ଅଧିକ ରକ୍ଷଣଶୀଳ ରାଜ୍ୟଗୁଡ଼ିକରେ ବିଜୟ ହାସଲ କରି ଡେମୋକ୍ରାଟ୍ମାନେ ସିନେଟ୍ ବିଜୟ ପାଇଁ ଏକ ଅସାଧାରଣ ପଥ ପ୍ରସ୍ତୁତ କରିଛନ୍ତି। ଆୟୋୱାରେ ଜୋଶ ଟୁରେକ୍, ରିପବ୍ଲିକାନ୍ ପ୍ରତିନିଧି ଆଶ୍ଲି ହିନସନଙ୍କୁ ପରାସ୍ତ କରିଛନ୍ତି ଏବଂ କାନସାସ୍ରେ ଆଡାମ ହାମିଲଟନ୍, ସିନେଟର ରୋଜର ମାର୍ଶାଲଙ୍କୁ ହରାଇଛନ୍ତି। ଏହିପରି ଅନେକ ଆଶ୍ଚର୍ଯ୍ୟଜନକ ବିଜୟ ଡେମୋକ୍ରାଟ୍ଙ୍କ ସପକ୍ଷରେ ଯାଇଛି। ମଙ୍ଗଳବାର ଆସିବା ବେଳକୁ ଡେମୋକ୍ରାଟ୍?ମାନେ ସତର୍କତାର ସହ ଆଶାବାଦୀ ଥିଲେ। ସେମାନେ ଦେଖିବାକୁ ପାଇଲେ ଯେ ରିପବ୍ଲିକାନ୍ମାନେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଏପରି କିଛି ରାଜ୍ୟ ଓ ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି, ଯେଉଁଠାରେ ଦୁଇ ବର୍ଷ ପୂର୍ବେ ଟ୍ରମ୍ପ୍ ସହଜରେ ବିଜୟୀ ହୋଇଥିଲେ। ଏହା ସହିତ, ଟ୍ରମ୍ପ୍ ନିଜ ଦଳର ଦୃଢ଼ ଗଡ଼ ବୋଲି ବିବେଚିତ ହେଉଥିବା କିଛି ରାଜ୍ୟରେ ପ୍ରଚାର କରୁଥିବାର ମଧ୍ୟ ସେମାନେ ଦେଖିଲେ। ଡେମୋକ୍ରାଟ୍?ମାନେ ଆଶା ରଖିଥିଲେ ଯେ, ମୁଦ୍ରାସ୍ଫୀତି (ଦରଦାମ ବୃଦ୍ଧି) ରୋକିବାରେ ଟ୍ରମ୍ପ୍ଙ୍କ ବିଫଳତା ଯୋଗୁଁ ସୃଷ୍ଟି ହୋଇଥିବା ଅସନ୍ତୋଷ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଜନସାଧାରଣଙ୍କ କଷ୍ଟ ଲାଘବ କରିବା ପରିବର୍ତ୍ତେ ସେ ଦେଶର ରାଜଧାନୀର ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଥିବା ଧାରଣା, ପରିସ୍ଥିତିକୁ ସେମାନଙ୍କ ସପକ୍ଷରେ ବଦଳାଇ ଦେବ। ଅନ୍ୟପକ୍ଷରେ, ରିପବ୍ଲିକାନ୍ମାନେ ଆଶା କରିଥିଲେ ଯେ ସେମାନଙ୍କ ପାଖରେ ଥିବା ଅଧିକ ଅର୍ଥବଳ ସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। କିନ୍ତୁ, ସେମାନେ ଆମେରିକୀୟ ପ୍ରତିନିଧି ସଭା ଉପରୁ ନିଜର ନିୟନ୍ତ୍ରଣ ହରାଇବାକୁ ଯାଉଥିବା ଆଶଙ୍କା କରୁଥିଲେ ଏବଂ ସିନେଟ୍ ଉପରେ ନିଜର କବ୍ଜା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିଲେ। ଚଳିତ ବର୍ଷ ଆରମ୍ଭରେ ଏଭଳି ଫଳାଫଳର ସମ୍ଭାବନା ବହୁତ କମ୍ ଥିଲା, କାରଣ ସେତେବେଳେ ନିର୍ବାଚନୀ ମାନଚିତ୍ର ସେମାନଙ୍କ ଦଳ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଉଥିଲା।
