କାକଟପୁର /ଅସ୍ତରଙ୍ଗ: ଆରମ୍ଭ ହେଲା ନୂଆ ଶିକ୍ଷାବର୍ଷ। ସକାଳୁଆ ସ୍କୁଲ ହେଲେ ପାଳନ ହେଉନି ପିଲାଙ୍କ ସ୍କୁଲ ବ୍ୟାଗ ନିୟମ। କେବେ ପାଳନ ହେବ ସରକାରଙ୍କ ନିୟମ। କେବେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ କମିବ ଏ ନେଇ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି। ସରକାର ଙ୍କ ନିର୍ଦ୍ଧେଶ ଅନୁସାରେ ୨୦୧୯ବର୍ଷ ନୂତନ ଶିକ୍ଷାବର୍ଷ ରୁ ଏହା ପାଳନ ହେବା କଥା। କିନ୍ତୁ ସେତେବେଳେ ବ୍ୟାଗ କଟକଣା ପାଳିତ ହୋଇ ପାରିନଥିଲା ଓ ପରବର୍ତ୍ତୀ ସମୟରେ କୋଭିଡ ୧୯ଯୋଗୁଁ ପୂରା ୨ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ୨୦୨୪-୨୫ରେ ବି ପାଳନ ହେଲା ନାହିଁ। ଏବେ ୨୦୨୬ରେ ଶିକ୍ଷାନୁଷ୍ଠାନ ଖୋଲିଲା ସତ କିନ୍ତୁ ପିଲାଙ୍କ ବ୍ୟାଗ କଟକଣା ଉପରେ ସରକାର କୌଣସି ପଦକ୍ଷେପ ନ ନେବା ଅଭିଭାବକ ଙ୍କ ଚିନ୍ତାକୁ ଦ୍ୱିଗୁଣିତ କରି ପକାଇଛି। ଏହା ଏକ ପ୍ରହସନ ବୋଲି ବହୁ ଅଭିଭାବକ ଅଭିଯୋଗ କରୁଛନ୍ତି। ତେବେ ୨୦୧୯ମାର୍ଚ୍ଚ ୮ତାରିଖ ଗାଇଡି ଲାଇନି ଅନୁସାରେ ପିଲାଙ୍କ ସ୍କୁଲ ବ୍ୟାଗ ପରିବହନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା ଯେ ଆଜି ଯାଏଁ ତାହା କାର୍ଯ୍ୟକାରୀ ହେଲା ନାହିଁ। ଗାଇଡି ଲାଇନି ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଛାତ୍ରୀ ଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧. ୫କେଜି ରଖା ଯାଇଥିବା ବେଳେ ତୃତୀୟ ରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ୨କେଜି ରୁ ୩କେଜି ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ୪କେଜି ୮ମ୍ ଓ ୯ମ୍ ଶ୍ରେଣୀର ପିଲାଙ୍କ ପାଇଁ ୪. ୫କେଜି ଓ ୧୦ମ୍ ଶ୍ରେଣୀ ପିଲାଙ୍କ ପାଇଁ ୫କେଜି ଓଜନର ବ୍ୟାଗ ବ୍ୟବହୃତ କରିପାରିବେ। ଏହା ଠାରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରୀ କରାଯାଇଛି। ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ପକ୍ଷରୁ ଜଣେ ପିଲାର ଓଜନ ଠାରୁ ସ୍କୁଲ ବ୍ୟାଗ ଓଜନ ୧୦ପ୍ରତିଶତ ଅଧିକ ହେବ ନାହିଁ ବୋଲି ଗାଇଡି ଲାଇନି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସମେତ ଆଖ ପାଖ ବ୍ଲକରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏଠାରେ ସରକାରୀ ସ୍କୁଲ ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ବହୁ ପିଲା ପ୍ରାଇଭେଟ ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି। ଏଥିରେ ପଢା ଖର୍ଚ୍ଚ ଅଧିକ ହେବା ଯେତିକି ବାଧୁ ନାହିଁ ପିଲାଙ୍କ ଓଜନଦାର ବହି ଭର୍ତ୍ତି ବ୍ୟାଗ ନେଇଯିବା ଅଧିକ କଷ୍ଟ ଦେଉଛି ବୋଲି ବହୁ ଅଭିଭାବକ ମତ ବ୍ୟକ୍ତ କରୁଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।
