ସାହାରପଡା :କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ରାତ୍ରି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିବା ବେଳେ ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ତେବେ ପୋଲିସକୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ରାତିରେ ପେଟ୍ରୋଲିଂ ସମୟରେ କାଠ ଚାଲାଣ ହେଉଥିବା ସନ୍ଦେହରେ ପେଟ୍ରୋଲିଂ କର୍ମଚାରୀ ମାନେ ଏକ ବୋଲେରୋକୁ ଅଟକାଇ ଥିଲେ। ଗାଡ଼ି ଅଟକିବା ପରେ ଡ୍ରାଇଭର ହଠାତ୍ ଗାଡ଼ି ଛାଡ଼ି ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ। ଗାଡ଼ି ଯାଞ୍ଚ କରାଯିବା ବେଳେ ସେଥିରେ କୌଣସି କାଠ ନଥିବା ଜଣା ପଡ଼ିଥିଲା।

ଘଟଣା ସମ୍ପର୍କରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କୁ ସୂଚନା ଦିଆ ଯାଇଥିଲା। ସୂଚନା ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋରେ ପୁନର୍ବାର ତଲାସ କରିଥିଲା। ତଲାସ ସମୟରେ ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ମିଳିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି। ପରେ ପାଟଣା ଥାନା ପୋଲିସ ବୋଲେରୋ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ି ଛାଡ଼ି ପଳାଇଥିବା ଡ୍ରାଇଭରଙ୍କ ପରିଚୟ ଓ ଏହି ଘଟଣା ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
