ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀର କେନ୍ଦ୍ରୀୟ ଅଞ୍ଚଳକୁ ଏକ ନୂଆ ରୂପ ଦିଆଯାଇଛି। ଏଥିପାଇଁ ଆଲୋକିତ ଗୋଲାକାର ଛକ, ଫୁଲ ସାଜସଜ୍ଜା, ସୁନ୍ଦର ଭାବେ ସଜ୍ଜିତ ରାସ୍ତା ଏବଂ ବ୍ରିକ୍ସ-ଭିତ୍ତିକ ସାଇନେଜ୍ ବ୍ୟବସ୍ଥା କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ପଟେଲ୍ ଚୌକ୍, ୱିଣ୍ଡସର୍ ପ୍ଲେସ୍, ମଣ୍ଡି ହାଉସ୍, ତିନ୍ ମୂର୍ତ୍ତି, ଲୋକ କଲ୍ୟାଣ ମେଟ୍ରୋ ଷ୍ଟେସନ୍ ଏବଂ ରାଉଣ୍ଡାବ୍ୟାଉଟ୍ ସମେତ ଅନେକ ସ୍ଥାନରେ ସାଜସଜ୍ଜାମୂଳକ ଆଲୋକ ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ବ୍ରିକ୍ସ ସମ୍ମିଳନୀର ଲୋଗୋ ଥିବା ଏଲଇଡି ସାଇନେଜ୍ ଲଗାଇବା ସହ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଲାଇଟ୍ ଖୁଣ୍ଟରେ ସମ୍ମିଳନୀ-ଭିତ୍ତିକ ପୋଷ୍ଟର ମଧ୍ୟ ଲଗାଇଛି। ସହରର ହୃଦସ୍ଥଳରେ ଥିବା ସମ୍ମିଳନୀ ସ୍ଥଳ “ଭାରତ ମଣ୍ଡପମ୍’ ସହିତ ବିମାନବନ୍ଦର ଏବଂ ନିର୍ଦ୍ଦିଷ୍ଟ ହୋଟେଲଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ସହରର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ଏବଂ ଉଦ୍ୟାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ଦେଶର ପ୍ରମୁଖ ନେତା ତଥା ଆମନ୍ତ୍ରିତ ଅତିଥିମାନେ ସହଯୋଗ ବୃଦ୍ଧି ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ପ୍ରସ୍ତୁତିର ଅଂଶବିଶେଷ ଭାବରେ ୧୭ଟି ପ୍ରମୁଖ ଗୋଲାକାର ଛକ, ଅତିକମରେ ୧୨ଟି ହୋଟେଲ ପରିସର ଏବଂ ୧୦ଟି ପ୍ରମୁଖ କୋଠାକୁ ଆଲୋକିତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହୋଟେଲ ଏବଂ ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛ, କ୍ଷୁଦ୍ର ବୁଦା ଏବଂ ସଜ୍ଜିତ ଅଞ୍ଚଳକୁ ମଧ୍ୟ ଆଲୋକିୀକରଣ କରାଯାଇଛି। ଏନଡିଏମସି ଚାଣକ୍ୟପୁରୀସ୍ଥିତ “ବ୍ରିକ୍ସ ଫ୍ରେଣ୍ଡସିପ୍ ରୋଜ୍ ଗାର୍ଡେନ୍’ରେ ମଧ୍ୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ୨୦୧୬ ମସିହାରେ ଭାରତ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ସମୟରେ ଏହି ବଗିଚା ପ୍ରତିଷ୍ଠା କରାଯାଇଥିଲା ଏବଂ ଏଥିରେ ୧୦୭ ପ୍ରକାରର ଗୋଲାପ ଫୁଲ ରହିଛି। ଡିପ୍ଲୋମାଟିକ୍ ଏନକ୍ଲେଭ୍ (କୂଟନୈତିକ ଅଞ୍ଚଳ)ର ଆଖପାଖ ରାସ୍ତା ଏବଂ ବଗିଚା ପରିସରରେ ଲ୍ୟାଣ୍ଡସ୍କେପିଂ (ସୌନ୍ଦର୍ଯ୍ୟକରଣ), ଗଛ କାଟିବା ଓ ଛାଣ୍ଟିବା, ଘାସ କାଟିବା ଏବଂ ସାଜସଜ୍ଜାମୂଳକ ଫୁଲସଜ୍ଜା କାର୍ଯ୍ୟ କରାଯାଇଛି। ଏହା ସହିତ, ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ ମିଳିତ ଭାବେ ଭାରତ ମଣ୍ଡପମ୍, ସରାଇ କାଲେ ଖାନ୍, ଲୋଧି ରୋଡ୍, ନିଜାମୁଦ୍ଦିନ୍, ସାକେତ ଏବଂ ଶେଖ୍ ସରାଇ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକର ଯାଞ୍ଚ କରୁଛନ୍ତି। ସଫେଇ କାର୍ଯ୍ୟକୁ ଜୋରଦାର କରିବା ଏବଂ ଚିହ୍ନଟ ହୋଇଥିବା ରାସ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିୟୋଜିତ ରହିଛନ୍ତି ଓ ଯନ୍ତ୍ରପାତି ମହଜୁଦ ରଖାଯାଇଛି। ସାର୍ବଜନୀନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସମ୍ମିଳନୀ ପାଇଁ ଆସୁଥିବା ପ୍ରତିନିଧି ଓ ପରିଦର୍ଶକଙ୍କୁ ସ୍ୱାଗତ କରିବା ନିମନ୍ତେ ସହରକୁ ପ୍ରସ୍ତୁତ ରଖିବା ପାଇଁ ଦିଲ୍ଲୀ କର୍ତ୍ତୃପକ୍ଷଙ୍କ ଏକ ବ୍ୟାପକ ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ରସ୍ତୁତି କରାଯାଇଛି।
