ବାରିପଦା; ନିର୍ଭରଯୋଗ୍ୟ ସୂଚନା ଆଧାରରେ, ତା ୧୦.୦୯.୨୦୨୬ ବିଳମ୍ବିତ ରାତିରେ ଓଡ଼ିଶା ସରକାରଙ୍କ ଏସସି ଏସଟି ଉନ୍ନୟନ ବିଭାଗର ଦୁଇଜଣ ଅଡିଟର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ କାବୁ କରିଛି । ଅଡିଟ କାର୍ଯ୍ୟ ଶେଷ କରି ସେମାନେ ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସରକାରୀ ସ୍କର୍ପିଓ ଗାଡ଼ି ଯୋଗେ ରକ୍ସି ଲେନରେ ଥିବା ମହାପାତ୍ର ହୋଟେଲକୁ ଫେରୁଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା ବିଡ଼ାରେ ଥିବା ମୋଟ ୫ଲକ୍ଷ ୫୧ହଜାର ୫୧୦ ଟଙ୍କା (ସନ୍ଦିଗ୍ଧ ଲାଞ୍ଚ ଟଙ୍କା) ମିଳିଥିଲା । ଯାହାର କୌଣସି ସନ୍ତୋଷଜନକ ଉତ୍ତର ସେମାନେ ଦେଇପାରି ନ ଥିଲେ । ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା । ହୋଟେଲ କୋଠରୀରୁ ଆହୁରି ୮ ଲକ୍ଷ ୮୬ହଜାର ୮୩୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।

ଏହି ବିପୁଳ ପରିମାଣର ଟଙ୍କା ସମ୍ପର୍କରେ କୌଣସି ହିସାବ ଦେଇ ନପାରିବାରୁ ସର୍ବମୋଟ ୧୪ ଲକ୍ଷ ୩୮ହଜାର ୩୪୦ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଛି । ଟଙ୍କାର ପ୍ରକୃତ ଉତ୍ସ ଜାଣିବା ପାଇଁ ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି । ଏହା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସେମାନଙ୍କ ସମ୍ପର୍କିତ ବିଭିନ୍ନ ଠିକଣାରେ ମଧ୍ୟ ଚଢ଼ାଉ ଆରମ୍ଭ ହୋଇଛି । ଏହି ଦୁଇ ଅଡିଟର ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ଅଡିଟ କରିବା ପାଇଁ ଗତ ୩୦ ଅଗଷ୍ଟ ୨୦୨୬ରୁ ବାରିପଦାରେ ଡେରା ପକାଇଥିଲେ । ଏହା ଅଧୀନରେ ଥିବା ବିଭିନ୍ନ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି ହଷ୍ଟେଲ ଗୁଡ଼ିକର ଅଡିଟ ଦାୟିତ୍ୱ ସେମାନେ ନେଇଥିଲେ ।

ସେମାନେ ପ୍ରଧାନଶିକ୍ଷକ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସ୍କୁଲ ଓ ହଷ୍ଟେଲ ରେଜିଷ୍ଟର ତଥା ଫାଇଲ ଧରି ବାରିପଦାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଗୁଡ଼ିକର ଅଡିଟ ସୁରୁଖୁରୁରେ କରାଇଦେବା ପାଇଁ ପ୍ରତି ନାମଲେଖା ଥିବା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗର ସତ୍ୟତା ଜାଣିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅଦ୍ୟାବଧି ଚଢ଼ାଉ ଜାରି ରହିଛି ବୋଲି ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ଏସପି ଅରୁଣ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଛନ୍ତି ।
