ପାଟନା: ନବନିର୍ବାଚିତ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଗୁଜରାଟରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି। ଅଭିଯୁକ୍ତଙ୍କୁ ବିହାରର ବାଙ୍କା ଜିଲ୍ଲାର ମୂଳ ବାସିନ୍ଦା ଶେଖର ଯାଦବ (୩୨) ବୋଲି ଚିହ୍ନଟ କରାଯାଇଛି। ଅଭିଯୁକ୍ତ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଫୋନ୍ କରି ହତ୍ୟା ଧମକ ଦେଇଥିଲେ ବୋଲି ପୋଲିସ କହିଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମୁଙ୍ଗେର ଜିଲ୍ଲାର ସଂଗ୍ରାମପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ସମ୍ରାଟ ମୁଙ୍ଗେର ଜିଲ୍ଲାର ତାରାପୁର ଆସନରୁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଧମକପୂର୍ଣ୍ଣ କଲ ପରେ, ଗୁଜରାଟ ଏବଂ ବିହାର ପୋଲିସ ଅଭିଯୁକ୍ତଙ୍କ ସ୍ଥାନ ଟ୍ରାକ୍ କରିଥିଲା। ସେ ଗୁଜରାଟର ସାନନ୍ଦରେ ରହୁଥିବା ଚିହ୍ନଟ କରାଯାଇଥିଲା। ପରେ ପୋଲିସ ଶୁକ୍ରବାର ତାଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ ଅଭିଯୁକ୍ତ ଗୁଜରାଟର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ଗୁୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ବିହାର ପୋଲିସକୁ ହସ୍ତାନ୍ତର କରିଛି, ଯେଉଁମାନେ ବର୍ତ୍ତମାନ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଚରାଉଚରା ପାଇଁ ବିହାରକୁ ଫେରାଇ ଆଣୁଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟାଳୟରେ ନିୟୋଜିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଧମକପୂର୍ଣ୍ଣ କଲ୍ ପଛରେ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। “ସେ ଏଠାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିବ ବୋଲି ଅଧିକାରୀ କହିଛନ୍ତି।
