ଜେନିଭା: ପୂର୍ବ ସ୍ୱିଜରଲ୍ୟାଣ୍ଡର ଏକ ଦୁର୍ଗମ ଆଲ୍ପାଇନ୍ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି; ଏଥିରେ ଡଚ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଗ୍ରିସନ୍ସ କ୍ୟାଣ୍ଟନର ସ୍ୱିସ୍ ପୋଲିସ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଘଟଣା ସୁସ୍ ଗ୍ରାମ ନିକଟରେ ଘଟିଛି। ଦୁର୍ଘଟଣା ପରବର୍ତ୍ତୀ ଦୃଶ୍ୟରୁ ଜଣାପଡ଼ୁଛି ଯେ ଓଲଟି ପଡ଼ିଥିବା ଗାଡ଼ି ଚାରିପାଖରେ ପୋଲିସ ଓ ଜରୁରୀକାଳୀନ ସେବା କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭ ଜଣ ମଧ୍ୟମ ଧରଣର ଏବଂ ୩୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଟୁର୍ ଅପରେଟର୍ ‘ଓଏଡି’ର ପ୍ରତିନିଧିତ୍ୱ କରୁଥିବା ଜେନେରାଲ୍ ଡଚ୍ ଆସୋସିଏସନ୍ ଅଫ୍ ଟ୍ରାଭେଲ୍ କମ୍ପାନୀଜ୍ର ଜଣେ ମହିଳା ମୁଖପାତ୍ର କହିଛନ୍ତି ଯେ ବସରେ ଥିବା ସମସ୍ତ ୪୮ ଜଣ ଯାତ୍ରୀ ଡଚ୍ ନାଗରିକ ଥିଲେ। ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ ବସ୍ଟି ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ (କ୍ରାସ୍ ବ୍ୟାରିୟର) ସହ ଧକ୍କା ହେବା ପରେ ଓଲଟି ପଡ଼ିଥିଲା। ଏଥିରେ ଅନ୍ୟ କୌଣସି ଗାଡ଼ି ସମ୍ପୃକ୍ତ ଥିବାର ସୂଚନା ମିଳିନାହିଁ। ଏହି ଯାତ୍ରା ଆୟୋଜନ କରିଥିବା ଟ୍ରାଭେଲ୍ ଏଜେନ୍ସି ‘ଓଏଡି’ ଏକ ବିବୃତ୍ତିରେ କହିଛି ଯେ ଏହି ଦୁଃଖଦ ବସ୍ ଦୁର୍ଘଟଣା ଯୋଗୁଁ ସେମାନେ ଅତ୍ୟନ୍ତ ମର୍ମାହତ ଓ ସ୍ତବ୍ଧ ଏବଂ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଓ ସେମାନଙ୍କ ପରିଜନଙ୍କ ପ୍ରତି ସେମାନଙ୍କ ସମବେଦନା ରହିଛି। ସ୍ୱିସ୍ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ “ଏକ୍ସ’ (ଟ୍ୱିଟର)ରେ ଲେଖିଛନ୍ତି ଯେ ସ୍ୱିସ୍ କର୍ତ୍ତୃପକ୍ଷ ଏହି ଘଟଣାର ସମ୍ପୂର୍ଣ୍ଣ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ନିଶ୍ଚିତ କରିବେ। ସ୍ୱିସ୍ ଗଣମାଧ୍ୟମ ଅନୁଯାୟୀ, ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ ଏବଂ ପାଞ୍ଚଟି ହେଲିକପ୍ଟର ପଠାଯାଇଥିଲା।
