ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୬୩ତମ ଦିନରେ ପହଞ୍ଚିଛି। ଦୀର୍ଘ ୧୬୩ ଦିନ ଧରି ପୁରୀବାସୀ ଶାନ୍ତିପୂର୍ଣ୍ଣ ଓ ଅହିଂସାପୂର୍ଣ୍ଣ ଉପାୟରେ ନିଜର ଦାବିକୁ ସରକାର ଓ ପ୍ରଶାସନଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି। ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହେଉଥିବା ଏହି ପ୍ରତିଦିନର ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ପୁରୀବାସୀଙ୍କ ଶ୍ରୀମନ୍ଦିର ସହ ରହିଥିବା ଗଭୀର ଭାବନା, ଆସ୍ଥା ଓ ଆତ୍ମିକ ସମ୍ପର୍କର ଏକ ଶାନ୍ତିପୂର୍ଣ୍ଣ ପ୍ରକାଶ ବୋଲି ସତ୍ୟାଗ୍ରହୀମାନେ କହିଛନ୍ତି। ପ୍ରବଳ ଗ୍ରୀଷ୍ମ, ଅସହ୍ୟ ତାତି, ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ପଦଯାତ୍ରାରେ କୌଣସି ବିରାମ ଆସିନାହିଁ। ଆଜି ୧୬୩ତମ ଦିନରେ ମଧ୍ୟ ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ।

ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦୀର୍ଘଦିନର ଦାବି ଉପରେ ଶୀଘ୍ର ଓ ନ୍ୟାୟସଙ୍ଗତ ସମାଧାନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ଦାବି କୌଣସି ବ୍ୟକ୍ତି, ଦଳ କିମ୍ବା ସରକାର ବିରୋଧୀ ଆନ୍ଦୋଳନ ନୁହେଁ। ଶ୍ରୀମନ୍ଦିର ସହ ପୁରୀବାସୀଙ୍କ ଐତିହାସିକ ଓ ଭାବନାତ୍ମକ ସମ୍ପର୍କକୁ ସମ୍ମାନ ଦେଇ ସେମାନଙ୍କ ପାଇଁ ଏକ ସୁବ୍ୟବସ୍ଥିତ ଓ ସ୍ଥାୟୀ ଦର୍ଶନ ବ୍ୟବସ୍ଥା କରାଯିବା ହିଁ ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ଆଲୋଚନା ଓ ସଂଳାପ ମାଧ୍ୟମରେ ସମସ୍ୟାର ଏକ ଗ୍ରହଣଯୋଗ୍ୟ ସମାଧାନ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ୧୬୩ ଦିନର ଏହି ଯାତ୍ରା କୌଣସି ତାତ୍କାଳିକ ପ୍ରତିକ୍ରିୟା ନୁହେଁ। ଏହା ପୁରୀବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ଓ ଅଧିକାରବୋଧରୁ ଉତ୍ପନ୍ନ ଏକ ନିରନ୍ତର ଜନସ୍ୱର। ତେଣୁ ସରକାର ଏହି ଦାବିକୁ ସମ୍ବେଦନଶୀଳତାର ସହ ବିଚାର କରି ପୁରୀବାସୀଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଦିନ ପରେ ଦିନ ବିତୁଛି, ଆନ୍ଦୋଳନର ଅବଧି ବଢ଼ୁଛି; କିନ୍ତୁ ପୁରୀବାସୀଙ୍କ ଦାବିର ସ୍ୱର ଆଜି ବି ଦୃଢ଼ ରହିଛି।

୧୬୩ ଦିନର ଏହି ଅହିଂସାପୂର୍ଣ୍ଣ ପଦଯାତ୍ରା ସତ୍ୟ, ଧୈର୍ଯ୍ୟ ଓ ଅହିଂସାରେ ଅଟଳ ରହିବାର ଏକ ପ୍ରତୀକରେ ପରିଣତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ସତ୍ୟାଗ୍ରହୀମାନେ ସଂକଳ୍ପ ପ୍ରକାଶ କରିଛନ୍ତି।ଏହି ଅବସରରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ନୃସିଂହନାଥ ନାୟକ, ଜଗଦାନନ୍ଦ ରାୟ, ରମେଶ ଚନ୍ଦ୍ର ମହାନ୍ତି, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ମମତା ଦାସ, ବର୍ଷା ସାହୁ, ରୀମା ପଣ୍ଡା, ଦୀପା କୁମାରୀ, ରିତୁ ପଣ୍ଡା, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ସୁବାଷ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଉପସ୍ଥିତ ଥିଲେ।
