ରାଇଘର : ନବରଙ୍ଗପୁର ଜିଲ୍ଲା ଉମରକୋଟ ହାଟପଦାସ୍ଥିତ ଆରଏମସି ଗୋଦାମରୁ ଧାନ ଚୋରି ଘଟଣାର ପୁଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଜଣେ ବୟସ୍କ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ ଜଣ ଆଇନ ସହିତ ସଂଘର୍ଷରତ ନାବାଳକଙ୍କୁ ଧରାଯାଇଛି। ସେମାନଙ୍କ ଠାରୁ ୧୦୦ ବସ୍ତା ଧାନ ଜବତ ହୋଇଛି।ପୁଲିସ ପ୍ରେସ୍ନୋଟ୍ ଅନୁଯାୟୀ, ଗୋଦାମର ଭେଣ୍ଟିଲେସନ୍ ଭାଙ୍ଗି ଚୋରମାନେ ପ୍ରାୟ ୧୮୬ କୁଇଣ୍ଟାଲ ଧାନ (୪୦୪ ବସ୍ତା) ଚୋରି କରିଥିଲେ। ଚୋରି ହୋଇଥିବା ଧାନର ଆନୁମାନିକ ମୂଲ୍ୟ ୪ ଲକ୍ଷ ୪୦ ହଜାର ୬୩୪ ଟଙ୍କା ବୋଲି ଜଣାପଡ଼ିଛି। ଏନେଇ ଉମରକୋଟ ଥାନାରେ କେସ୍ ନଂ ୩୫୫, ତା. ୦୮/୦୯/୨୦୨୬ରେ ମାମଲା ରୁଜୁ ହୋଇଥିଲା।ତଦନ୍ତ ସମୟରେ କେନାଲସାହିର ଗୋଲୁ ହରିଜନ (୧୯)ଙ୍କୁ ପୁଲିସ ଗିରଫ କରିଥିବା ବେଳେ ୪ ଜଣ ନାବାଳକଙ୍କୁ ଧରିଥିଲା। ନାବାଳକମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଧେପଗୁଡ଼ା ଗ୍ରାମର ଧାନ କ୍ରେତା ଦାମୋଦର ସାହୁ (୫୯) ଓ ମଙ୍ଗୁଳି ଚରଣ ସାହୁ (୫୭)ଙ୍କ ନିକଟରୁ ଚୋରି ହୋଇଥିବା ୧୦୦ ବସ୍ତା, ଅର୍ଥାତ୍? ୪୬ କୁଇଣ୍ଟାଲ ଧାନ ଉଦ୍ଧାର କରାଯାଇଛି।ଚୋରି ଧାନ ପରିବହନରେ ବ୍ୟବହୃତ ଗୋଟିଏ ବଜାଜ ଅଟୋ (ଙଊ-୩୦ଈ-୪୨୯୭) ଓ ଗୋଟିଏ ହିରୋ ପ୍ୟାସନ୍ ପ୍ଲସ୍ (ଉଏ-୦୫ଐ-୮୬୦୯) ମଧ୍ୟ ପୁଲିସ ଜବତ କରିଛି। ଧରାପଡ଼ିଥିବା ୪ ନାବାଳକଙ୍କୁ ନବରଙ୍ଗପୁର ଜେଜେବିର ମୁଖ୍ୟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଉପସ୍ଥାପନ କରାଯାଇଛି।ଚୋରି ହୋଇଥିବା ଅବଶିଷ୍ଟ ଧାନ ଉଦ୍ଧାର ଏବଂ ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।
