ପୁରୀ: ପୁରୀ ସହରରେ ଥ?ିବା ଷ୍ଟେସନ ରୋଡ ସ୍ଥିତ ଘୋଡ଼ାବଜାର ୱାର୍ଡ଼ ନମ୍ବର ୨୪ର ବସ୍ତି ବାସିନ୍ଦା ମାନଙ୍କ ଭୂମି ଅଧିକାର ମିଳିତ ମଞ୍ଚ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ ପୂର୍ବତଟ ରେଳବାଇ କର୍ତ୍ତୁପକ୍ଷ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କୁ ଉଚ୍ଛେଦ କରିବା ନିମନ୍ତେ ନୋଟିସ୍ ପ୍ରଦାନ କରିଛନ୍ତି । ଆଜିକି ଦୀର୍ଘ ୮୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଉକ୍ତ ଅଞ୍ଚଳରେ ୨୩୦ ଟି ପରିବାର ଜେଜେ ବାପା ଅମଳରୁ ବସବାସ କରିଆସୁଛନ୍ତି । ସମସ୍ତେ ଭୂମିହୀନ ଏବଂ ଦାରିଦ୍ର୍ୟ ସୀମାରେଖା ଅର୍ନ୍ତଭୁକ୍ତ ପରିବାର ଅଟନ୍ତି ଏବଂ ଦୀନ ମଜୁରୀଆ ଭାବେ ନିଜ ନିଜର ପରିବାର ପ୍ରତିପୋଷଣ କରିଆସୁଅଛନ୍ତି । ୨୩୦ ଟି ପରିବାର ମଧ୍ୟରୁ ୩୯ ଟି ପରିବାର ଅନୁସୂଚିତ ଜାତିର ଏବଂ ୧୯୧ଟି ପରିବାର ତେଲଗୁ ସମ୍ପଦାୟର ଅଟନ୍ତି । ସେଠାରେ ବସବାସ କରୁଥିବା ପରିବାର ସେମାନଙ୍କ ନାମରେ ଆଧାର କାର୍ଡ଼ ଭୋଟର କାର୍ଡ଼, ରେସନ୍ କାର୍ଡ଼ କରିବା ସହିତ ବିଦ୍ୟୁତ୍ ଏବଂପାଣି ସଂଯୋଗ ମଧ୍ୟ ନେଇଛନ୍ତି। ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ପରିବାର ପାଇପାରଛନ୍ତି । ଯଦି ସେମାନଙ୍କ ଥଇଥାନ ନକରିଉଚ୍ଛେଦ କରାଯାଏ ସେମାନେ ବାସହୀନ ହେବା ସହିତ ରୋଜଗାର ହରାଇବେଏବଂ ପରିବାର ପ୍ରତିପୋଷଣରୁ ବଞ୍ଚିତ ହେବେ । ଭୂମିହୀନ ପରିବାର ମାନଙ୍କୁ ପ୍ରଥମେ ଥଇଥାନ କରି ସେମାନଙ୍କୁ ବାସପଯୋଗୀ ଭୂମି ଯୋଗାଇ ଦେବା ପାଇଁ ଦାବି ଉପସ୍ଥାପନ କରିବା ସହ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀକୁ ମଧ୍ଯ ମଞ୍ଚ କମିଟିର ସଦସ୍ଯ ମାନେ ସାକ୍ଷାତ କରି ବସ୍ତିବାସିନ୍ଦାଙ୍କ ସମସ୍ଯା ଜଣାଇଥିଲେ । ସାଂସଦ ଶ୍ରୀ ପାତ୍ର ମଧ୍ଯ ରେଲବାଇ ଡିଆରଏମ, ପୁରୀ ଜିଲ୍ଲାପାଳ, ତହସିଲଦାରଙ୍କ ସହ ଫୋନରେ କଥାବାର୍ତ୍ତ କରି ସମାଧାନର ସୂତ୍ର ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପୂର୍ବତନ ପୌରସଦସ୍ଯ ପି. ରାଜାରାମ ମଧ୍ଯ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ରଙ୍କୁ ବସ୍ତିବାସିନ୍ଦାଙ୍କ ସମସ୍ଯା ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ୭ ସେପଟେମ୍ବର ଷ୍ଟେସନ ଛକ ତାରିଣୀ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ଯାନ୍ଯ ଦଳର କିଛି ଯୁବ ନେତା ବାଇଟ ଦେଇଥିଲେ ଯାହାଫଳରେ ମଞ୍ଚ ପକ୍ଷରୁ କ୍ଷୋଭ ପ୍ରକାଶ ପାଇବା ସହ ଦୁଃଖ ପ୍ରକାଶ ପାଇଛି । ଆମ ସାହି ଆମ ସମସ୍ଯା ଆମେମାନେ ସମସ୍ତେ ମିଶି ଘୋଡ଼ାବଜାର ବସ୍ତିବାସିନ୍ଦା ମାନେ ଏକତ୍ରିତ ରହିଛୁ । ରେଲବାଇ ଉଛେଦ ପାଇଁ ଯେଉଁ ନୋଟିସ ଦେଇଛି ତାର ବିରୋଧରେ ସଂଗ୍ରାମ ଜାରି ରଖିବା ସହ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କ କଥାକୁ ମଧ୍ଯ ବିଶ୍ୱାସ କରି ଆଗକୁ ଯିବା ପାଇଁ ସ୍ଥିର କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପୌରସଦସ୍ଯ ପି.ରାଜାରାମ ରେଡ୍ଡୀ, ଆର ଗୋପାଳ ରେଡ୍ଡୀ, ପି. ନାରାୟଣ ରେଡ୍ଡୀ, ଡି.ମୋହନ ରେଡ୍ଡୀ, କେ.ସନ୍ଯାସୀ ରେଡ୍ଡୀ, ଆର.ଜଗନ୍ନାଥ ରେଡ୍ଡୀ, ସିଏଚ ସନ୍ତୋଷ ରେଡ୍ଡୀ, ଟି.ମଣିରେଡ୍ଡୀ ଓ ଦୁବାଇ ସନ୍ତୁଙ୍କ ସମେତ ସାହିର ଯୁବକ ମାନେ ଉପସ୍ଥିତ ଥିଲେ । ଶତାଧିକ ମହିଳା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।
