ନୂଆଦିଲ୍ଲୀ : ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲର ନୂଆ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ଟି-୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଭିଷେକ ଶର୍ମା ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି। ସେମାନେ ଏହି ତାଲିକାରେ ସ୍ମୃତି ମନ୍ଧାନା ଏବଂ ଶ୍ରେୟସ ଆୟରଙ୍କ ସ୍ଥାନ ନେଇଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୩୪୮ ଖେଳାଳିଙ୍କୁ ନିଜର ରହୁଥିବା ସ୍ଥାନ ବା ଡଷରକ୍ସରବଭକ୍ଟଙ୍କଗ୍ଧଗ୍ଦ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଏହାସହ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ପରୀକ୍ଷା ପାଇଁ ଉପଲବ୍ଧ ରହିବାକୁହେବ। ଯଦି କୌଣସି ଖେଳାଳି ତିନିଥର ନିଜର ସୂଚନା ଦେବାରେ ବିଫଳ ହୁଅନ୍ତି, ତେବେ ଏହାକୁ ଡୋପିଂ ନିୟମର ଉଲ୍ଲଂଘନ ବୋଲି ଧରାଯିବ। କ୍ରିକେଟରୁ ମୋଟ ୧୪ ଖେଳାଳି ଏହି ଲିଷ୍ଟରେ ଅଛନ୍ତି। ପୁରୁଷ ବର୍ଗରେ ଶୁଭମନ ଗିଲ, ଯଶସୱୀ ଜୟସୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, କେ.ଏଲ. ରାହୁଲ, ଅର୍ଶଦୀପ ସିଂ ଏବଂ ତିଲକ ବର୍ମା ରହିଥିବା ବେଳେ ଅଲରାଉଣ୍ଡର ଦୀପ୍ତି ଶର୍ମା, ଶେଫାଳି ବର୍ମା ଏବଂ ରେଣୁକା ସିଂ ଠାକୁର ଆଦି ମହିଳା ଖେଳାଳି ରହିଛନ୍ତି। ଏହି ତାଲିକାରେ ସବୁଠାରୁ ଅଧିକ ସଂଖ୍ୟକ ଆଥଲେଟ୍ସ ସାମିଲ ଅଛନ୍ତି। ପୂର୍ବରୁ ଆଥଲେଟିକ୍ସରୁ ୧୧୮ ଜଣ ଥିବାବେଳେ ଏବେ ଏହି ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି। ଆଥଲେଟିକ୍ସ: ଅବିନାଶ ସାବଲେ, ଜ୍ୟୋତି ୟାରାଜୀ, ତେଜସ୍ୱିନ ଶଙ୍କର, ଅନିମେଷ କୁଜୁର, ଶୈଳୀ ସିଂ, ଏମ୍ ଶ୍ରୀଶଙ୍କର ଏବଂ ତଜିନ୍ଦରପାଲ ସିଂ ତୁର। ତୀରନ୍ଦାଜୀ: ଦୀପିକା କୁମାରୀ, ରାକେଶ କୁମାର ଏବଂ ପାରା ତୀରନ୍ଦାଜ ଶୀତଲ ଦେବୀ। ହକି: ଅଧିନାୟକ ହରମନପ୍ରୀତ ସିଂ, ମନପ୍ରୀତ ସିଂ, ସଲିମା ଟେଟେ, ସବିତା ପୁନିଆ ଏବଂ ନବନୀତ କୌର। ବ୍ୟାଡମିଣ୍ଟନ: ପି.ଭି ସିନ୍ଧୁ, ଲକ୍ଷ୍ୟ ସେନ୍ ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ୮ ଜଣ ଖେଳାଳି। କୁସ୍ତି ଓ ବକ୍ସିଂ: କୁସ୍ତିରୁ ୩୧ ଜଣ (ଅଲିମ୍ପିକ୍ ପଦକ ବିଜେତା ଅମନ ସେହରାବତଙ୍କ ସମେତ) ଏବଂ ବକ୍ସିଂରୁ ୨୨ ଜଣ (ନିଖତ ଜରିନ୍, ଲଭଲିନା ବୋରଗୋହେନ୍) ଖେଳାଳିଙ୍କୁ ସ୍ଥାନ ମିଳିଛି।
