ପୁରୀ: ପୁରୀ ପୌରାଞ୍ଚଳ କୁମ୍ଭାରପଡା ଜାଇଗଡ ଯାଗା ଠାରେ ମହାବୀର ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ଧୁମ ଧାମରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହା ସହ ସାହିଯାତ ପରିବେଷଣ ହୋଇଥିଲା । ସାହିଯାତରେ ରାମ,ଲକ୍ଷ୍ମଣ ସୀତା ରଥରେ ବିରାଜମାନ କରି ସାହି ପରିକ୍ରମା କରାଯାଇଥିଲା । ନାଗା ମେଢ, ଦୁର୍ଗା ମେଢ, କାଳୀ ମେଢ, ନୃସିଂହ ମେଢ, ହନୁମାନ, ଗଣ୍ଡା ଓ ଗରିଳା ବେଶଧାରୀ ମାନେ ନିଜ ନିଜର ଠାଣି ମାଣି ଚାହାଣୀ ସହ ପାହୁଣ୍ଡ ପକାଇ ସାହି ଗଳିରେ ନୃତ୍ଯ ପରିବେଷଣ କରିଥିଲେ । ପାରମ୍ପରିକ ବାଦ୍ଯର ତାଳେ ତାଳେ ନୃତ୍ଯ ପରିବେଷଣ ବେଶ ଚମତ୍କାର ହୋଇଥିଲା । ଉଜ୍ଜ୍ୱଳ ଆଲୋକ ମାଳାରେ ଆଲୋକିତ ସାହିରେ ଦର୍ଶକ,ସାହି ବାସିନ୍ଦାଙ୍କ ସମେତ ଛୋଟ ପିଲାମାନେ ସାହିଯାତ ଦେଖି ବିମୋହିତ ହୋଇଥିଲେ । ଅନୁଷ୍ଠାନର ସଭାପତି ହରିହର ପାଢ଼ୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ। ସମ୍ପାଦକ ଅଜୟ କୁମାର ମହାପାତ୍ର ଓ କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ଯ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
