ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ଥିତ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ୨ ତାରିଖ ବିଳମ୍ବିତ ରାତିରେ ହଷ୍ଟେଲରେ ସୋଇଥିବା ଜଣେ ଛାତ୍ରୀଙ୍କୁ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି।ମିଳିଥିବା ସୂଚନା ଅନୁସାରେ, ତିଳାବାଡ଼ି ଗ୍ରାମର ନିର୍ମଳା ବେହେରାଙ୍କ ଝିଅ ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ରାତିରେ ଶୋଇଥିବା ସମୟରେ କେହି ତାଙ୍କ ହାତ, ପିଠି ଓ ବେକରେ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। ଛାତ୍ରୀ ଜଣକ ସେହି ସମୟରେ ଜାଣିପାରି ନଥିଲେ। କିଛି ଘଣ୍ଟା ପରେ ମୁଣ୍ଡ ବୁଲାଇବା ସହ ଶରୀରରେ ପୋଡାଜଳା ଅନୁଭବ କରିବାରୁ ସେ ହଷ୍ଟେଲ ସାରଙ୍କୁ ଜଣାଇଥିଲେ।ପରେ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। ଏହି ଘଟଣା ବିଷୟରେ ୩ ତାରିଖ ଦିନ ପରିବାର ଲୋକେ ଜାଣିବା ପରେ ବିଦ୍ୟାଳୟ ପରିସରରେ ପହଞ୍ଚି ହୋ-ହାଲ୍ଲା କରିଥିଲେ। ଅଭିଯୋଗ ଅନୁସାରେ, ଅଧ୍ୟକ୍ଷ ଶ୍ରୀ କର୍ମୀ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିବା ସହ ସୋମବାର ସୁଦ୍ଧା ପ୍ରକୃତ କଥା ବାହାର କରି ସମାଧାନ କରିବେ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ରବିବାର ସନ୍ଧ୍ୟାରେ “ମୋର କଣ କରିବା କଥା କର, ଏହାର କାରଣ ମୁଁ ବାହାର କରିପାରିବି ନାହିଁ’ ବୋଲି କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏଥିରେ ଅସନ୍ତୁଷ୍ଟ ହୋଇ ପରିବାର ଲୋକେ ଆଜି ଦଶପଲ୍ଲା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ କଲେଜ ପରିସରରେ ଏଭଳି ଘଟଣା କିପରି ଘଟିଲା ଏବଂ ରାତି ଡ୍ୟୁଟିରେ ଥିବା କର୍ମଚାରୀ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏତଲାରେ ହଷ୍ଟେଲର କର୍ମଚାରୀମାନେ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଇଛି।ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି।
