ନୂଆଦିଲ୍ଲୀ : ଭାରତୀୟ ଟି-୨୦ ଟିମର ଓପନର ସଞ୍ଜୁ ସାମସନଙ୍କୁ ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ପ୍ରଥମଥର ପାଇଁ ସାମସନ ଜିତିଛନ୍ତି ଆଇସିସି ପ୍ଲେୟାର ଅଫ ଦ ମନ୍ଥ ଆୱାର୍ଡ। ଅର୍ଥାତ ସାମସନ ବନିଛନ୍ତି ମାସର ଶ୍ରେଷ୍ଠ ଖେଳାଳି। ଏହି ପୁରସ୍କାର ଦୌଡ଼ରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ଦକ୍ଷିଣ ଆଫ୍ରିକାର କୋନ୍ନୋର ଇଷ୍ଟେରହୁଇଜେନ ରହିଥିଲେ। କିନ୍ତୁ ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି ସାମସନ। ଏହାପୂର୍ବରୁ ପାକିସ୍ତାନର ଓପନର ଶାହିବଜାଦା, ଦକ୍ଷିଣ ଆଫ୍ରିକାର ସିମନ ହାର୍ମର, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ଆଇସିସିର ମାସିକିଆ ପୁରସ୍କାର ଜିତିଥିଲେ। ଏବେ ଭାରତ ପାଇଁ ଟି-୨୦ ବିଶ୍ୱକପରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ସାମସନ ବାଜି ମାରିଛନ୍ତି। ଟି-୨୦ ବିଶ୍ୱକପ ଆରମ୍ଭ ସମୟରେ ସାମସନ ଚୂଡ଼ାନ୍ତ ଏକାଦଶରେ ନଥିଲେ। କିନ୍ତୁ ସୁପର ୮ର ନିଶ୍ଚିତ ବିଜୟ ମ୍ୟାଚ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ସେ ମାତ୍ର ୨୪ ରନ କରିଥିଲେ। କିନ୍ତୁ ମାର୍ଚ୍ଚ ୧ ତାରିଖ ୱେଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ସେ ଖେଳିଥିଲେ ଅପରାଜିତ ୯୭ ରନର ଇନିଂସ। ଏହି ଇନିଂସ ଯୋଗୁ ଭାରତ ସେମିରେ ପ୍ରବେଶ କରିଥିଲା। ସେମି ଫାଇନାଲରେ ସେ ୮୯ ରନର ଇନିଂସ ଖେଳିଥିଲେ। ଫାଇନାଲ ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ବାହାରିଥିଲା ୮୯ ରନ। ଏହି ଇନିଂସ ଯୋଗୁ ଭାରତ କ୍ରମାଗତ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ ଜିତିଥିଲା। ଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷ ସେମିରେ ସାମସନ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଜିତିଥିଲେ। ମାର୍ଚ୍ଚ ମାସରେ ସେ ୩ ଟି-୨୦ ମ୍ୟାଚ୍ରେ ୨୭୫ ରନ କରିଥିଲେ। ତାଙ୍କ ଆଭରେଜ ୧୩୭.୫୦ ରହିଥିବା ବେଳେ ଷ୍ଟ୍ରାଇକ ରେଟ ରହିଥିଲା ୧୯୯.୨୭। ଏଥିପାଇଁ ତାଙ୍କୁ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଛି ଆଇସିସି। ସାମସନ ମଧ୍ୟ ତାଙ୍କ କ୍ରିକେଟ କ୍ୟାରିୟରେ ପ୍ରଥମ ଥର ଆଇସିସି ସମ୍ମାନ ଜିତିଛନ୍ତି।
