ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୨୨ତମ ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଜିତିଛି। ଘରୋଇ ମାଟିରେ ଚେନ୍ନାଇ ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି। କୋଲକାତା ଟିମ୍ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୬୦ ରନ୍ କରିପାରିଛି। କୋଲକାତା ପକ୍ଷରୁ ନୁର ଅହମଦ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରିଥିଲେ ଏବଂ ୨୧ ରନ୍ ଖର୍ଚ୍ଚ କରିଥିଲେ। ଅଂଶୁଲ କମ୍ବୋଜଙ୍କୁ ୨ଟି, ଖଲିଲ ଅହମଦ୍ ଏବଂ ଅକିଲ ହୁସେନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ୧୯୩ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା କୋଲକାତାଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଆଜିଙ୍କ୍ୟ ରହାଣେଙ୍କ ଦଳ ସ୍କୋର ୧୩ ରନ୍ରେ ଫିନ୍ ଆଲେନ୍ ଏବଂ ୨୯ ରନ୍ରେ ସୁନୀଲ ନାରାୟଣଙ୍କୁ ହରାଇଥିଲା। ଆଲେନ୍ ମାତ୍ର ୧ ରନ୍ କରି ଆଉଟ୍ହୋଇଥିଲା ବେଳେ ସୁନୀଲ ୧୭ଟି ବଲ୍ ଖେଳି ୨୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୨ଟି ଚୌକା ଏବଂ ୨ଟି ଛକା ସାମିଲ କରିଥିଲେ। ଅଧିନାୟକ ଆଜିଙ୍କ୍ୟ ରହାଣେ ୨୨ଟି ବଲ୍ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୨ଟି ଛକା ମାରିଥିଲେ। ଅଗ୍ନିକ୍ରିଶଙ୍କ ବ୍ୟାଟରୁ ୨୭ ରନ୍ ମିଳିଥିଲା। ସେ ୧୯ଟି ବଲ୍ର ସାମ୍ନା କରି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। କ୍ୟାମରନ ଗ୍ରିନ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ରିଙ୍କୁ ସିଂହ ୬ ରନ୍ କରି ଆଉଟ୍ ହୋଇଥିଲେ। ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ମଙ୍ଗଳବାର କୋଲକାତା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପାଇଁ ସଂଜୁ ସାମସନ ଏବଂ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ଇନିଂସ ଆରମ୍ଭ କରିଥିଲେ। ଦଳର ସ୍କୋର ୨୫ ରନ୍ଥିଲା ବେଳେ ପ୍ରଥମ ଝଟକା ଲାଗିଥିଲା। କୋଲକାତାର ପ୍ରଥମ ଶିକାର ହୋଇଥିଲେ ଗାଏକ୍ୱାର୍ଡ। ସେ ମାତ୍ର ୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ୬ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ। ସାମସନ୍ ଏବଂ ଆୟୁଷ ମହାତ୍ରେ ଦ୍ୱିତୀୟ ୱିକେଟ୍ ପାଇଁ ୪୯ ରନ୍ର ଭାଗିଦାରୀ କରିଥିଲେ। ଆୟୁଷ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୩୮ ରନ୍ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍ର ସାମ୍ନା କରି ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ।କୋଲକାତାର ତୃତୀୟ ଶିକାର ହେବା ପୂର୍ବରୁ ସଂଜୁ ସାମସନ ବ୍ୟକ୍ତିଗତ ଭାବେ ୪୮ ରନ୍ କରିଥିଲେ। ସେ ୩୨ଟି ବଲ୍ ଖେଳି ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଡେୱାଲ୍ଡଙ୍କ ବ୍ୟାଟରୁ ୪୧ ରନ୍ ସଂଗ୍ରହ ହୋଇଥିଲା। ସେ ୨୯ଟି ବଲ୍ ଖେଳି ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ସଫରରାଜ ଖାନ ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ୨୩ ରନ୍ କରିଥିଲେ। ଶିଭବ ଦୁବେ ଅପରାଜିତ ୧୩ ରନ୍ ଏବଂ ଜିମି ଓଭରଟନ୍ ଅପରାଜିତ ୭ ରନ୍ ସଂଗ୍ରହ କରିଥିଲେ। କୋଲକାତା ପକ୍ଷରୁ କାର୍ତ୍ତିକ ତ୍ୟାଗୀଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ବୈଭବ ଅରୋଜା, ଅନୁକୂଳ ରୟ ଏବଂ ସୁନୀଲ ନାରାୟଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
