ପୁରୀ: ମଙ୍ଗଳବାର ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ମେଡିକାଲ ଛକ ସ୍ଥିତ ମାଳିଯାଗା ସଙ୍କଟ ମୋଚନ ମହାବୀରଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ମହାବୀରଙ୍କ ମନ୍ଦିରରେ ସୁଗନ୍ଧିତ ପୁଷ୍ପ ଓ ଚନ୍ଦନ ବାସ୍ନାରେ ମନ୍ଦିର ପରିସର ମହକୁଥିଲା । ଜୟ ହନୁମାନ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ଘଣ୍ଟ ଘଣ୍ଟା ନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ମନ୍ଦିର ସମ୍ମୁଖରେ ମାଳିଯାଗା କମିଟି ପକ୍ଷରୁ ଅଭଡା ତୋରାଣି ବଣ୍ଟନ କରାଯାଇଥିଲା । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ଯ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ସବୁବର୍ଷ ପରି ଚଳିତବର୍ଷ ମଧ୍ଯ ମାଳିଯାଗା କମିଟି ପକ୍ଷରୁ ପଥଚାରୀ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅଭଡା ତୋରାଣି ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କ ଅଭଡା, ଦହି,ଲୁଣ, କମଳା ପତ୍ର, ଲେମ୍ବୁ, ଲଙ୍କା, ଆମ୍ବକସିଆ ଅଦା ଆଦି ମିଶ୍ରଣ କରି ବଣ୍ଟନ କରାଯାଇଥିଲା । ପଥଚାରୀ ମାନେ ଅଭଡା ତୋରାଣି ପିଇ ଶାନ୍ତି ଅନୁଭବ କରିଥିଲେ । ପର୍ଯ୍ୟଟକ ମାନେ ମହାପ୍ରଭୁଙ୍କ ଅଭଡା ତୋରଣି ପିଇ ଅନୁଷ୍ଠାନର ସଦସ୍ଯ ମାନଙ୍କୁ ପ୍ରଶଂସା କରିଥିଲେ । ସଂକ୍ରାନ୍ତି ଦିନ ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଏକମାସ ପର୍ଯ୍ୟନ୍ତ ପଥଚାରୀଙ୍କ ଆତ୍ମତୃପ୍ତି ଲାଭ ପାଇଁ ଅଭଡା ତୋରଣି ବଣ୍ଟନ କରାଯିବ ବୋଲି ଯାଗାର କର୍ମକର୍ତ୍ତା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଭାପତି ବ୍ରଜକିଶୋର ନାୟକ, ସମ୍ପାଦକ ନାରାୟଣ ଗୋଛିକାର, ବରିଷ୍ଠ ସଭ୍ଯ ଦାମୋଦର ପଲେଇ, ରାଜକିଶୋର ନାୟକ (ବାପି) ,ମନୋଜ ପ୍ରଧାନ, ବେଣୁଧର ନାୟକ, ସୁରେନ୍ଦ୍ର ପଲେଇ ପ୍ରମୁଖ ପରିଚାଳନା କରିଥିବା ବେଳେ ମାନସ କୁମାର ବେହେରା, ଶ୍ଯାମସୁନ୍ଦର ପ୍ରଧାନ, ଅମରେଶ ସିହ୍ନା,ପାତୁଲ ପାଣିଗ୍ରାହୀ,ସୁର ନାୟକ,କାଳୁ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ କମିଟିର ଅନ୍ଯ ସଦସ୍ଯ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
