ପୁରୀ: ସଂପର୍କ ପକ୍ଷରୁ ମାଇଁ ଭାରତ ଏବଂ କେନ୍ଦ୍ର ଯୁବ କ୍ରୀଡ଼ା ମନ୍ତ୍ରଣାଳୟଙ୍କ ସହଯୋଗରେ ଭାରତ ରତ୍ନ ବାବାସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ ଗୌରବମୟ ପରିବେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପିପିଲି ସ୍ଥିତ ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସଂଗଠନର ସଦସ୍ୟମାନେ ଓ ସ୍ଥାନୀୟ ନାଗରିକ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ତାଙ୍କ ଜୀବନ, ଦର୍ଶନ ଓ ସମାଜ ପାଇଁ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ବିଶେଷକରି ସମାନତା, ସମାଜିକ ନ୍ୟାୟ ଓ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦ୍ୱିତୀୟ ଚେଷ୍ଟାକୁ ଉଲ୍ଲେଖ କରାଯାଇଥିଲା।ଏହାପରେ ଗୋରୁଆଳସ୍ଥିତ ଓଡ଼ିଶା କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବକ୍ତାମାନେ ଡ଼. ଆମ୍ବେଦକରଙ୍କ ଚିନ୍ତାଧାରା, ସଂବିଧାନ ରଚନାରେ ତାଙ୍କ ଭୂମିକା ଓ ଆଧୁନିକ ସମାଜରେ ତାଙ୍କ ଦର୍ଶନର ପ୍ରସଙ୍ଗିକତା ବିଷୟରେ ମତ ପ୍ରକାଶ କରିଥିଲେ। ଯୁବ ପିଢ଼ୀ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା କହିଥିଲେ। କଳା ପ୍ରଶିକ୍ଷକ ଦୁର୍ଗାମାଧବ କର ପ୍ରମୁଖ ଯୋଗ ଦେଇଥିଲେ।ସଂପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡ଼. ଆମ୍ବେଦକରଙ୍କ ଜୀବନ ଓ ଚିନ୍ତାଧାରାକୁ ନେଇ ଏକ ପୋଷ୍ଟର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଯୁବ କଳାକାରମାନେ ସୃଜନଶୀଳ ଭାବେ ତାଙ୍କର ବିଭିନ୍ନ ଦିଗକୁ ଚିତ୍ରରେ ଉପସ୍ଥାପନ କରିଥିଲେ, ଯାହା ସଭାସ୍ଥଳୀରେ ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା। ପୋଷ୍ଟର୍ ପ୍ରତିଯୋଗିତା ରେ ପ୍ରଥମ ଶୁଭମ୍ କୁମାର ଜେନା,ଦ୍ୱିତୀୟ ଓମ୍ ପ୍ରକାଶ ବେହେରା,ତୃତୀୟ ସୁପ୍ରିତି ମହାପାତ୍ର ଅଧିକାର କରିଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଶିକ୍ଷା, ସଚେତନତା ଓ ସାମାଜିକ ଏକତାର ଏକ ଉତ୍ତମ ଉଦାହରଣ ହୋଇଥିଲା । ସପନ ଉପାଧ୍ୟାୟ ,ଡ଼ା କମଲେଶ ପ୍ରଧାନ,ଶୁଭ ପ୍ରସାଦ ଶର୍ମା,ସୁନିଲ ମହାପାତ୍ର,ରାକେଶ ବାରିକ,ଦିବ୍ୟାଦିତି ଶତପଥୀ,ଅଧ୍ୟାପକ ଅନନ୍ତ କୁମାର ପ୍ରଧାନ,ଉଦ୍ଧବ ନାୟକ , ବିଶ୍ୱଜିତ୍ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
