ବାରିପଦା; ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ପଡିବାରୁ ତାର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ମଧୁବନ ତଳସାହି ଅଞ୍ଚଳର ଅଜୟ ପାତ୍ରଙ୍କ ୧୧ ବର୍ଷୀୟ ପୁଅ ବାଦଲ ପାତ୍ର ରିଲିଫ ଖାଦ୍ୟ ନେଇ ଘରକୁ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଅଜୟଙ୍କ କହିବା ଅନୁଯାୟୀ ବନ୍ୟାରେ ତାଙ୍କ ଘରଟି ବୁଡିଯାଇଥିବାରୁ ତାଙ୍କ ପୁଅ ବାଦଲ ମଧୁବନ ବିଦ୍ୟାଳୟ ରେ ବଣ୍ଟନ ହେଉଥିବା ରିଲିଫ ଖାଦ୍ୟ ଆଣି ମଙ୍ଗଳବାର ଫେରିବା ବାଟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଥିବା ଏକ ନଡ଼ିଆ ଗଛରୁ ନଡ଼ିଆ ତା ମୁଣ୍ଡରେ ପଡିଥିଲା । ବାଦଲ ଘରକୁ ଫେରି ତାର ମୁଣ୍ଡ ଯନ୍ତ୍ରଣା ହେଉଥିବା ନେଇ ଅଜୟଙ୍କୁ ଜଣାଇଥିଲେ । ଯନ୍ତ୍ରଣା ଅଧିକ ହେବାରୁ ଆଜି ସକାଳ ୯ ଟା ସମୟରେ ବାଦଲକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଚିକିତ୍ସା ନିମନ୍ତେ ନିଆ ଯାଇଥିବା ବେଳେ ଦିନ ୧୧ ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଶଣା କରିଥିଲେ । ପରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
