ବାରିପଦା – ତା ୨/୯ ; ଠାକୁରମୁଣ୍ଡା-ଉଦଳା ରାସ୍ତାର ଭଦୁବେଡା ନିକଟ ପୋଲ ପାଖରେ ରାସ୍ତାରେ ଥିବା ବଡ ଗାତରେ ଭାରସାମ୍ୟ ହରାଇ ସ୍କୁଟିରୁ ପଡି ଭାଇ-ଭଉଣୀ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନୋଟ ପଞ୍ଚାୟତ ହଳଦିସାହିର ସୁମିତ୍ରା ବଦ୍ରା (୨୨) ଏବଂ ତାଙ୍କ ଭାଇ ଚମ୍ପାଇ ବଦ୍ରା (୧୩) ସ୍କୁଟି ନେଇ ଉଦଳାକୁ ସର୍ଭିସିଂ ପାଇଁ ଯାଇଥିଲେ। ସେଠାରୁ ଫେରି କେଶଡିହା ସ୍ଥିତ କକା ଘରକୁ ଯାଉଥିବା ବେଳେ ଭଦୁବେଡା ପୋଲ ପାଖରେ ରାସ୍ତାର ଗାତରେ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଉଭୟ ରାସ୍ତା କଡରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ।
ଏହି ସମୟରେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଶରତରୁ ଠାକୁରମୁଣ୍ଡା ଅଭିମୁଖେ ଆସୁଥିଲେ। ରାସ୍ତା କଡରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଭାଇ-ଭଉଣୀଙ୍କୁ ଦେଖି ସେ ତୁରନ୍ତ ନିଜ କାରରେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ।
ବର୍ତ୍ତମାନ ଉଭୟ ସେଠାରେ ଚିକିତ୍ସାଧୀନ ଅଛନ୍ତି। ବିଧାୟକଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
