ବାରିପଦା ; ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜଣେ ଶ୍ରମିକ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଝିଆଣି ପଞ୍ଚାୟତ ସାରୁବିଲ ଗ୍ରାମରେ। ମୃତକ ହେଲେ ସେହି ଗ୍ରାମର ଭୁଣ୍ଡା ହୋ’ଙ୍କ ପୁଅ ନନ୍ଦିଆ ହୋ (୪୪)। ସେ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କାମ କରୁଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା। ପାଖରେ କାମ କରୁଥିବା ସମ୍ପର୍କୀୟ ଭିଣୋଇଙ୍କ ସହ ସେ ଘରକୁ ଫେରୁଥିଲେ।

ଫେରିବା ବେଳେ ଗତ ୨୮ ଅଗଷ୍ଟ ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଟ୍ରେନରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ଏକ ଷ୍ଟେସନରେ ଓହ୍ଲାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶେଷରେ ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ସଦସ୍ୟ ଗୋପବନ୍ଧୁ ମହାନ୍ତ, ଐଜଊୠ ଇଣ୍ଡିଆର ରାଜ୍ୟ ସଭାପତି ସୋମନାଥ ନାୟକ ଏବଂ ଜାତୀୟ କାର୍ଯ୍ୟକାରୀ ସଭାପତି ଦୁଃଖବନ୍ଧୁ ବିଶ୍ୱାଳ ଏବଂ ଶ୍ରମ ଅଧିକାରୀଙ୍କ ସହଯୋଗରେ ୪ ଦିନ ପରେ ତାଙ୍କ ମରଶରୀର ନିଜ ଜନ୍ମମାଟି ସାରୁବିଲରେ ପହଞ୍ଚିଛି। ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
