କଟକ: ମଣ୍ଡି ଖୋଲାଯାଇଛି କିନ୍ତୁ ସେଠାରେ କୃଷକଙ୍କଠାରୁ ଧାନ ସଂଗ୍ରହ କରାଯାଉ ନାହିଁ। ମଣ୍ଡିରେ ନ ଦେଇ, ମିଲ୍ରେ ଧାନ ଦେବାକୁ କୃଷକଙ୍କୁ କୁହାଯାଉଛି। ଏଭଳି ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ଚାଷୀ ଉତ୍ପାଦନ କରୁଥିବା ଧାନକୁ ସରକାର ସଂଗ୍ରହ କରିବେ ବୋଲି ଆଶାବାନ୍ଧି ରହୁଥିବା ବେଳେ ମଣ୍ଡିରେ କିନ୍ତୁ ଧାନ ସଂଗ୍ରହ କରାଯାଉ ନାହିଁ। ମିଲରେ ଧାନ ଦେବାକୁ କୁହାଯାଇଥିବା ବେଳେ ପରିବହନ ଖର୍ଚ୍ଚ ଚାଷୀଙ୍କୁ ବହନ କରିବାକୁ ବାଧ୍ୟ କରାଯାଉଛି ବୋଲି ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦ୍?ବେଗ ପ୍ରକାଶ କରିବା ସହିତ ସପ୍ତାହେ ଭିତରେ ମାମଲାରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନକାରୀଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ତରଫରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏପ୍ରିଲ ୨୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଗଞ୍ଜାମ, ଗଜପତି, ରାୟଗଡ଼ା ସମେତ ସବୁ ଜିଲ୍ଲାର ମଣ୍ଡିରେ କୃଷକଙ୍କ ନିକଟରୁ ଧାନ ସଂଗ୍ରହ ପାଇଁ ସୁବ୍ୟବସ୍ଥା କରାଯାଉ। କୃଷକମାନଙ୍କୁ ଯେପରି ଦୂରକୁ ଯିବାକୁ ପଡ଼ିବ ନାହିଁ ତାହା ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉ। ପରିବହନ ଓ ବସ୍ତା ବାବଦ ଖର୍ଚ୍ଚ କୃଷକ କେମିତି ଫେରି ପାଇବେ ସେଥି ପାଇଁ ପଦକ୍ଷେପ ନିଆଯାଉ। ଧାନ ମାପ ଓ ଗୁଣବତ୍ତା ନାଁରେ କଟ୍?ନିଛଟ୍?ନି କରି କୃଷକଙ୍କୁ ଅସୁବିଧାରେ ପକାଯାଉଥିବା ଅଭିଯୋଗ ହେଉଛି। ଉପଯୁକ୍ତ ଭାବେ ଧାନ ଓଜନ କରି ଟୋକନ୍ ଅନୁସାରେ ଚାଷୀଙ୍କ ନିକଟରୁ ସଂଗ୍ରହ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୋପାଳପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।
