ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ପୁଲିସର ତ୍ୱରିତ ପଦକ୍ଷେପ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତକୁ ଧରିବା ସହ ଚୋରି ହୋଇଥିବା ମୋଟରସାଇକେଲ ଉଦ୍ଧାର ହୋଇଛି। ଏଥିସହ ପୁଲିସ ପାଟ୍ରୋଲିଂ ସମୟରେ ଅନ୍ୟ ଏକ ଘଟଣାରେ ୧୨ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଲାଠୋର ପୁଲିସର ଏଭଳି ଲଗାତାର କାର୍ଯ୍ୟାନୁଷ୍ଠାନ ଅପରାଧ ନିୟନ୍ତ୍ରଣ ସହ ଅବୈଧ ମଦ କାରବାର ଉପରେ କଡ଼ା ନଜର ରହିଥିବାର ସ୍ପଷ୍ଟ ସଙ୍କେତ ଦେଇଛି। ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଅଶୋକ ମେହେର (୪୫) ନିଜ ଘର ସମ୍ମୁଖରୁ ହିରୋ ସ୍ପେ୍ଲଣ୍ଡର ମୋଟରସାଇକେଲ ଓଡି ୦୩ବି ୩୯୭୯ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଲାଠୋର ପୁଲିସ ତତ୍ପରତାର ସହ ତଦନ୍ତ ଆରମ୍ଭ କରି ଚୋରି ହୋଇଥିବା ବାଇକ୍?କୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ କୁଲିଆବାହାଲ ଗ୍ରାମର ସାନ୍ତା ମିର୍ଦ୍ଧା (୩୦)ଙ୍କୁ ଗିରଫ କରିଛି। ଏନେଇ ଲାଠୋର ଥାନାରେ କେସ୍ ନଂ ୧୫୮/୨୦୨୬, ଧାରା ୩୦୩(୨) ଈଘଝ ଅନୁଯାୟୀ ମାମଲା ରୁଜୁ ହୋଇଛି। ସେହିପରି, ଲାଠୋର ପୁଲିସ ପାଟ୍ରୋଲିଂ ସମୟରେ ଅବୈଧ ଦେଶୀ ମଦ କାରବାର ବିରୋଧରେ ମଧ୍ୟ ସଫଳତା ହାସଲ କରିଛି। ଗୋଇଲମୁଣ୍ଡା ଗ୍ରାମର ନୀଳ ମାଝୀ (୩୬)ଙ୍କୁ ଧରି ତାଙ୍କ ନିକଟରୁ ୧୨ ଲିଟର ଦେଶୀ ମଦ, ୨ଟି ପ୍ଲାଷ୍ଟିକ କେନ୍ ଏବଂ ମଦ ପ୍ରସ୍ତୁତି ଓ ସଂରକ୍ଷଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏନେଇ ଲାଠୋର ଥାନାରେ କେସ୍ ନଂ ୧୫୭/୨୦୨୬, ଓଡ଼ିଶା ଅବକାରୀ ଆଇନର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅପରାଧୀଙ୍କ ଉପରେ ନଜର, ତ୍ୱରିତ ତଦନ୍ତ ଓ ଅବୈଧ କାରବାର ବିରୋଧରେ ଲଗାତାର ଅଭିଯାନ ଲାଠୋର ପୁଲିସର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଥାନାଧିକାରୀ ଅଭିନାଶ ପଧାନଙ୍କ ନେତୃତ୍ୱରେ ପୁଲିସର ଏଭଳି ସକ୍ରିୟତା ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀଙ୍କ ମନରେ ଆଇନର ଭୟ ସୃଷ୍ଟି କରିବାରେ ସହାୟକ ହେଉଛି। ଉଭୟ ଘଟଣାରେ ପୁଲିସର ତଦନ୍ତ ଜାରି ରହିଥିବା ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି।
