ନୂଆଦିଲ୍ଲୀ ; ଚଳିତ ଆଇପିଏଲ ସିଜନରେ ଚେନ୍ନାଇ ଚମକି ପାରୁନାହିଁ । ଲଗାତାର ୩ଟି ମ୍ୟାଚ ହାରି ସାରିଛି ୫ ଥରର ଚାମ୍ପିଅନ ଚେନ୍ନାଇ । ଖାତା ଖୋଲିନଥିବା ଚେନ୍ନାଇର ଶନିଦଶା ପଡିଛି । ଧୋନି ଏ ପର୍ଯ୍ୟନ୍ୟ ଏକାଦଶକୁ ଫେରିନାହାନ୍ତି । ଋତୁରାଜଙ୍କ ଅଧିନାୟତ୍ୱ ଉପରେ ପ୍ରଶ୍ନ ଉଠୁଛି । ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ସଞ୍ଜୁ ସଂଘର୍ଷ କରୁଛନ୍ତି । ଦଳ ଆସନ୍ତା ୧୧ ତାରିଖରେ ଦିଲ୍ଲୀ ବିପକ୍ଷରେ ଖେଳିବ । ମ୍ୟାଚର ପରିଣାମ କଣ ହେବ ତାହା ଅଲଗା କଥା । ଏବେ ଚେନ୍ନାଇ ସୁପରକିଙ୍ଗସକୁ ନେଇ ବଡ଼ ଖୁଲାସା କରିଛନ୍ତି ପୂର୍ବ କ୍ରିକେଟର । ଗୋଟିଏ ପରେ ଗୋଟିଏ ମ୍ୟାଚ ହାରୁଥିବା ଟେନସନ ଭିତରେ ପୂର୍ବ କ୍ରିକେଟର ଆର ଅଶ୍ୱିନଙ୍କ ବୟାନ ଦଳକୁ ହରଣଗଡାରେ ପକାଇଛନ୍ତି । ସିଏସକେ ପକ୍ଷରୁ ଆଇପିଏଲ ଖେଳିବା ମୋ ଲାଗି ମାନସିକ ଭାବେ ବିରକ୍ତକର ଓ ଯନ୍ତ୍ରଣାଦାୟକ ସମୟ ବୋଲି ଭାରତର ଅନ୍ୟତମ କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି । ‘ଆଶ କି ବାତ୍’ ୟ୍ୟୁଟୁବ ଚ୍ୟାନେଲରେ ସେ ଆଇପିଏଲରୁ କାହିଁକ ଅବସର ନେଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସିଏସକେରେ ଯେଉଁ ସମୟ ରହିଛି ସେଥିରେ ମୋର ଭୂମିକା, ଭବିଷ୍ୟତ ସମ୍ପର୍କରେ କିଛି ସ୍ପଷ୍ଟତା ନଥିଲା । ଯାହା ଫଳରେ ନିଜକୁ ପ୍ରସ୍ତୁତ କରିପାରୁ ନଥିଲେ । ସତ କହିବାକୁ ଗଲେ ପରବର୍ତ୍ତୀ ସିଜନରେ ଫ୍ରାଞ୍ଚାଇଜ୍ ବଦଳାଇବା ଓ ଖେଳିବାକୁ ମୋର ଆଉ ଇଚ୍ଛା ନଥିଲା । ଘରୋଇ ମାଟିରେ ଖେଳିବାର ଯେଉଁ ଇଚ୍ଛା ଥିଲା ତାହା ପୂରଣ ହୋଇ ପାରିଲା ନାହିଁ । ଏଭଳି ଯନ୍ତ୍ରଣାଦାୟକ ଭାବେ ରହିବା ଅପେକ୍ଷା ମୁଁ ଅବସର ନେବାକୁ ଚିନ୍ତା କରିଥିଲି ବୋଲି କହିଛନ୍ତ ଅଶ୍ୱିନ । ପୂର୍ବତନ ଭାରତୀୟ ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି, ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିବା ସମୟରେ ଯଦି ସେ ‘ମାନସିକ ଭାବରେ ବିଚଳିତ’ ଏବଂ ପୀଡ଼ାଦାୟକ ପର୍ଯ୍ୟାୟ ଦେଇ ଯାଇ ନଥାନ୍ତେ, ତେବେ ସେ ଆଇପିଏଲରେ ଆହୁରି କିଛି ସମୟ ଖେଳିପାରିଥାଆନ୍ତେ । ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଅଶ୍ୱିନ । ଗତବର୍ଷ ଆଇପିଏଲକୁ ଅଲବିଦା କହିଥିଲେ । ଅଶ୍ୱିନ କହିଛନ୍ତି ସତ କହିବାକୁ ଗଲେ ମୁଁ ଆହୁରି ଆଇପିଏଲ ଖେଳିପାରିଥାନ୍ତି କିନ୍ତୁ ଫ୍ରାଞ୍ଚାଇଜଗୁଡିକୁ ତାଙ୍କ ଭବିଷ୍ୟତ ନିଷ୍ପତ୍ତି ନେବାର ଦ୍ୱନ୍ଦ୍ୱରୁ ରକ୍ଷା କରିବା ପାଇଁ ସେ ଆଇପିଏଲରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । କାରଣ ଖେଳିବା ପାଇଁ ମୋର ଭାବପ୍ରବଣ କ୍ଷମତା ନଥିଲା ।
