ଭଂଜନଗର: ତିନି ବର୍ଷର ପୁଅ ପେଟରେ ଲୁହାକଣ୍ଟା । ଖେଳୁଥିବା ସମୟରେ ରାସ୍ତାରୁ ଗୋଟାଇ ଲୁହାକଣ୍ଟା ଟି ଗିଳି ଦେଇଥିଲା । ଏବେ ଗତ ପ୍ରାୟ ଏକମାସ ହେଲା, ପୁଅ ପେଟରେ ରହିଛି କଣ୍ଟା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଚଢିଆପଲ୍ଲୀ ଗାଁରେ ନଜରକୁ ଆସିଛି ଏଭଳି ଘଟଣା । ଏହି ଗାଁର ତୋଫାନ ଜେନାଙ୍କ ତିନି ବର୍ଷର ପୁଅ ଆକାଶର ଏଭଳି ଅବସ୍ଥା । ପ୍ରଥମେ ଭଂଜନଗର ଏବଂ ପରେ ବ୍ରହ୍ମପୁର ମେଡିକାଲ କୁ ନେଇ ପୁଅ ପେଟରୁ କଣ୍ଟା ବାହାର କରିବାକୁ ଡାକ୍ତରଙ୍କୁ ନେହୁରା ହେଲେ । ଡାକ୍ତର କହିଲେ ଅପରେସନ ହେବ । କିଛି ଦିନ ପରେ କହିଲେ, ଅପରେସନ୍ ନକରି ଅପେକ୍ଷା କରିବାକୁ । ଝାଡ଼ା ହେଲେ, ମଳଦ୍ୱାର ଦେଇ ତାହା ଆପେ ଆପେ ବାହାରିଯିବ ବୋଲି କହିଲେ, ଡାକ୍ତର । \

ହେଲେ ଆଜି ଯାଏଁ ପେଟରୁ କଣ୍ଟା ବାହାରି ପାରି ନାହିଁ । ଏନେଇ ଚିନ୍ତାରେ ପରିବାର ଲୋକେ । ବାପା ତୋଫାନ ଜେନା, ଦିନ ମଜୁରିଆ ଭାବେ କାମ କରନ୍ତି । ଅନ୍ୟର ମୂଲ ଲାଗିଲେ, ସନ୍ଧ୍ୟାରେ ଯାହା ମିଳେ ସେଥିରେ ଘର ଚଳେ । ଦୁଇ ପୁଅ ମଧ୍ୟରେ, ଆକାଶ ସାନ ପୁଅ । ଗଲା ପ୍ରାୟ ୧ ମାସ ହେବ, ପୁଅ ପେଟରେ ଲୁହା କଣ୍ଟା ରହିଥିବାରୁ ତାକୁ ନେଇ ଏବେ ବିବ୍ରତ ହୋଇ ପଡିଛନ୍ତି । ଅନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବାକୁ, ପାଖରେ ଅର୍ଥ ନାହିଁ । ଏବେ ସେ ସରକାରୀ କିମ୍ବା କୈ।ଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି । କାରଣ ପୁଅ ପେଟରେ ଥିବା, ଲୁହାକଣ୍ଟା ବାହାରିବାରେ ଯେତିକି ବିଳମ୍ବ ହେଉଛି, ବାପା ଓ ମା’ ସେତିକି ଅଧୈର୍ଯ୍ୟ ହୋଇପଡୁଛନ୍ତି । ଏ ସଂକ୍ରାନ୍ତରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ଜରୁରୀ ବୋଲି, ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
