ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଆରମ୍ଭ ହୋଇଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୮ତମ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପ୍ରତିଦିନ ଜାରି ରହିଥିବା ଏହି ପଦଯାତ୍ରା ଏବେ ପୁରୀବାସୀଙ୍କ ଧୈର୍ଯ୍ୟ, ଆସ୍ଥା ଓ ଅଧିକାର ପାଇଁ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଛି। ୧୪୮ ଦିନ ଧରି ନା ଥକିଛି ପାଦ, ନା ଦୁର୍ବଳ ହୋଇଛି ସଂକଳ୍ପ। ପ୍ରବଳ ଖରା, ବର୍ଷା, ପର୍ବପର୍ବାଣୀ ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସତ୍ୟାଗ୍ରହୀମାନେ ନୀରବତାକୁ ଅସ୍ତ୍ର କରି, ହାତରେ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରୁଛନ୍ତି। ଏହି ନୀରବ ପଦକ୍ଷେପ ମାଧ୍ୟମରେ ସେମାନେ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି; ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାରକୁ ସମ୍ମାନ ମିଳୁ। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରୁ ସତ୍ୟାଗ୍ରହୀମାନଙ୍କ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା। ପଦଯାତ୍ରା ସିଂହଦ୍ୱାରରେ ପହଞ୍ଚିବା ପରେ ସତ୍ୟାଗ୍ରହୀମାନେ ପତିତପାବନଙ୍କ ଦର୍ଶନ କରିଥିଲେ।

ଏହାସହ ପୁରୀବାସୀଙ୍କ ଦାବି ପୂରଣ ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ନିମନ୍ତେ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରାର୍ଥନା କରିଥିଲେ।ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୮ ଦିନ ଧରି ଆମର ନୀରବ ପଦଯାତ୍ରା ଅବିରତ ଭାବେ ଜାରି ରହିଛି। ଏହା କେବଳ ଏକ ପଦଯାତ୍ରା ନୁହେଁ; ଏହା ପୁରୀବାସୀଙ୍କ ଆସ୍ଥା, ଭାବନା ଓ ଅଧିକାରର ଏକ ଶାନ୍ତିପୂର୍ଣ୍ଣ ସ୍ୱର। ଆମେ ସତ୍ୟ ଓ ଅହିଂସାର ପଥରେ ରହି ଆମର ନ୍ୟାୟସଙ୍ଗତ ଦାବି ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇ ଚାଲିଛୁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ।” ସେ ଆହୁରି କହିଛନ୍ତି, “ଆମର ପାଦ ଅଧିକାର ପାଇଁ ଚାଲୁଛି, ଆମର ନୀରବତା ନ୍ୟାୟର କଥା କହୁଛି ଏବଂ ଆମର ହୃଦୟ ଅପେକ୍ଷା କରୁଛି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ। ଏହା ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ପ୍ରୟାସ।୧୪୮ ଦିନର ଏହି ଅବିରତ ଯାତ୍ରା ଆଜି ଏକ ଗଭୀର ବାର୍ତ୍ତା ଦେଉଛି—ସତ୍ୟର ପଥ ଦୀର୍ଘ ହୋଇପାରେ, କିନ୍ତୁ ଦୃଢ଼ ସଂକଳ୍ପ ଥିଲେ ପଦକ୍ଷେପ କେବେ ଅଟକି ରହେ ନାହିଁ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରତ ପୁରୀବାସୀଙ୍କ ଏହି ନୀରବ ସ୍ୱର ଦିନେ ନା ଦିନେ ନ୍ୟାୟର ଦ୍ୱାର ଖୋଲିବ—ଏହି ଆଶା, ଆସ୍ଥା ଓ ବିଶ୍ୱାସ ସହ ସତ୍ୟାଗ୍ରହୀମାନେ ଆଜି ମଧ୍ୟ ଆଗକୁ ବଢ଼ିଛନ୍ତି। ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଅଭିମନ୍ୟୁ ରାୟଗୁରୁ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ଅଞ୍ଜୁବାଳା ମହାନ୍ତି, ମମତା ଦାସ, ଛବିରାଣୀ ମହାରଣା, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଜୟପ୍ରକାଶ ସାମନ୍ତରାୟ, ଜଗଦାନନ୍ଦ ରାୟ, ଲିଙ୍ଗରାଜ ସାହୁ, ସୁବାଷ ପଟ୍ଟନାୟକ, ଭୋଳା, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।
