ବାରିପଦା /ସାହାରପଡା; କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁ ଅଞ୍ଚଳର ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତା ହେଲେ ଅର୍ଚ୍ଚନା ପରିଡ଼ା। ସେ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଅଭିମନ୍ୟୁ ପରିଡ଼ାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି।
ଅର୍ଚ୍ଚନାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଅଜୟ କୁମାର ବାରିକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ାଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଇନ୍ସୁରାନ୍ସ ଅର୍ଥ ଲୋଭ ରେ ଅଭିମନ୍ୟୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେଇଥିବାର କୁହାଯାଉଛି । ତେବେ ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ସଠିକ ପରିସ୍ଥିତି ତଦନ୍ତ ପରେ ସ୍ପଷ୍ଟ ହେବ।
ସୂଚନା ଅନୁଯାୟୀ, ରବିବାର ଅଭିମନ୍ୟୁ ନିଜ ସ୍ତ୍ରୀ ଅର୍ଚ୍ଚନା ଶୋରୁମ ଭିତରେ ମୃତ ଅବସ୍ଥାରେ ପଡ଼ିଥିବା ନେଇ ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ କରୁଥିଲେ। ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।

ଅର୍ଚ୍ଚନାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଶୋରୁମ ଭିତରେ ଆଣି ରଖାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ପୋଲିସ ତଦନ୍ତରୁ ଜଣାପଡ଼ିବ। ଘଟଣାସ୍ଥଳରୁ ଏକ ତଥାକଥିତ ସୁଇସାଇଡ ନୋଟ ମିଳିଥିବା ମଧ୍ୟ ସୂଚନା ମିଳିଛି। ଏଥିରେ ସ୍ୱାମୀ ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ଥିବା କୁହାଯାଉଛି। ତେବେ ଏହି ଲେଖାକୁ ନେଇ ଅର୍ଚ୍ଚନାଙ୍କ ପରିବାର ଆପତ୍ତି ଉଠାଇବା ସହ ଏହାର ସତ୍ୟତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ ଏହି ନୋଟକୁ ମଧ୍ୟ ତଦନ୍ତର ଅଂଶ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଘୁଟୁରୁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକେ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିବା ମଧ୍ୟ ଜଣାପଡ଼ିଛି। ୨୦୧୪ରେ ଅଭିମନ୍ୟୁ ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳର ଅର୍ଚ୍ଚନା ବାରିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି। ଘୁଟୁରୁରେ ‘ଅର୍ଚ୍ଚନା ଟ୍ରେଡର୍ସ’ ଓ ‘ଶୁଭମ ମୋଟର୍ସ’ ନାମରେ ସେମାନଙ୍କ ବ୍ୟବସାୟ ରହିଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ, ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କେନ୍ଦୁଝର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଧାରରେ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
