ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଗୁରୁବାର ଦିନ ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସଚିବାଳୟକୁ ଏକ ଚିଠି ଲେଖି ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଉପର ସଦନରେ ଉପନେତା ପଦରୁ ବହିଷ୍କାର କରିବାକୁ ଅନୁରୋଧ କରିଛି। ପାର୍ଟି ସାଂସଦ ଅଶୋକ ମିତ୍ତଲଙ୍କୁ ଉପନେତା ଭାବରେ ନିଯୁକ୍ତ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହା ଆଗାମୀ ସଂସଦୀୟ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ଦଳର ଆଭ୍ୟନ୍ତରୀଣ ନେତୃତ୍ୱ ପରିବର୍ତ୍ତନକୁ ସୂଚିତ କରୁଛି। ଫଳରେ ଚଢ଼ା ଆଉ ଆପ୍ କୋଟାରେ ରାଜ୍ୟସଭାରେ ଭାଷଣ ରଖିପାରିବେ ନାହିଁ। ଆପ୍ ବର୍ତ୍ତମାନ ରାଜ୍ୟସଭାରେ ୧୦ଟି ଆସନ ରଖିଛି, ଯେଉଁଥିରେ ପଞ୍ଜାବରୁ ୭ଜଣ ଏବଂ ଦିଲ୍ଲୀରୁ ୩ ଜଣ ସଦସ୍ୟ ଅଛନ୍ତି। ତେବେ ପାର୍ଟି ଚଢ଼ାଙ୍କୁ କାହିଁକି ପଦରୁ ଅପସାରଣ କଲା ତାହା ହଠାତ୍ ଜଣାପଡ଼ିନାହିଁ। ଦେଖିବାକୁ ଗଲେ ୨୦୨୫ ଦିଲ୍ଲୀ ନିର୍ବାଚନରେ ଦଳର ପରାଜୟ ପରଠାରୁ ଚଢା ନିଜକୁ ଆପର ଏଜେଣ୍ଡା କିମ୍ବା ନେତାମାନଙ୍କଠାରୁ ବହୁ ଦୂରରେ ରଖିଛନ୍ତି। ତାଙ୍କ ସଂସଦୀୟ ଭାଷଣ ବିଷୟରେ ବାରମ୍ବାର ପୋଷ୍ଟ କରୁଛନ୍ତି। ଜଣେ ଲୋକପ୍ରିୟ ନେତା ଚଢା ପୂର୍ବରୁ ଭାରତରେ ପିତୃତ୍ୱ ଛୁଟିକୁ ଆଇନଗତ ଅଧିକାର କରିବା ପାଇଁ ଓକିଲାତି କରି ଚର୍ଚ୍ଚାରେ ଥିଲେ। ସେ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ ଯତ୍ନ ନେବା ଉଭୟ ପିତାମାତାଙ୍କ ମଧ୍ୟରେ ଏକ ସହଭାଗୀ ଦାୟିତ୍ୱ ହେବା ଉଚିତ।
