ଜାକର୍ତା: ଗୁରୁବାର ପ୍ରତ୍ୟୁଷରେ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ୭.୪ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଥିଲା। ସମୁଦ୍ରରେ ୭୫ ସେଣ୍ଟିମିଟର (୨.୫ ଫୁଟ) ପର୍ଯ୍ୟନ୍ତ ଲହରୀ ଉଠିଥିଲା। ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳରୁ ମିଳିଥିବା ସିସି ଟିଭି ଫୁଟେଜରେ ଭୂମିକମ୍ପ ସମୟରେ କୋଠାଗୁଡ଼ିକ ପ୍ରବଳ ଭାବରେ ଥରୁଥିବା ଦେଖାଯାଇଥିଲା, ଯାହା ଫଳରେ ବାସିନ୍ଦାମାନେ ପ୍ରାଣ ବିକଳରେ ନିରାପଦ ସ୍ଥାନକୁ ପଳାଇ ଯାଇଥିଲେ। ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ଏବଂ ଦେଶର କିଛି ସ୍ଥାନରେ ରାସ୍ତାରେ ଫାଟ ଦେଖିବାକୁ ମିଳିଛି। ଉତ୍ତର ସୁଲାୱେସି ପ୍ରଦେଶର ମାନାଡୋ ସହରରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ ଉତ୍ତର ସୁଲାୱେସିର ଜଣେ ୭୦ ବର୍ଷୀୟା ମହିଳା ଭାବରେ ଚିହ୍ନଟ କରାଯାଇଛି, ଯିଏ କୋଠା ଭାଙ୍ଗି ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ।

ସ୍ଥାନୀୟ ଗଣମାଧ୍ୟମ ଇଣ୍ଡୋନେସିଆର ଅନ୍ୟ ଅଂଶରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକର ଚିତ୍ର ମଧ୍ୟ ପ୍ରସାରଣ କରିଥିଲା। ଟେର୍ନେଟ୍ ଏବଂ ଟିଡୋର୍ ଭଳି କିଛି ସହରର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନାଗରିକମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା। ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ ଭୂମିକମ୍ପ ଉତ୍ତର ସୁଲାୱେସିର ଏକ ଉପକୂଳବର୍ତ୍ତୀ ସହର ବିଟୁଙ୍ଗ ଏବଂ ନିକଟବର୍ତ୍ତୀ ଅଞ୍ଚଳ ଏବଂ ପଡ଼ୋଶୀ ଉତ୍ତର ମାଲୁକୁର ଟେର୍ନାଟରେ ତୀବ୍ର ଭାବରେ ଅନୁଭୂତ ହୋଇଥିଲା। ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର ପ୍ରଥମେ କହିଥିଲା ଯେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ମାଲେସିଆର ଉପକୂଳ ସହିତ ଭୂମିକମ୍ପର କେନ୍ଦ୍ରସ୍ଥଳର ୧,୦୦୦ କିଲୋମିଟର (୬୨୧ ମାଇଲ) ମଧ୍ୟରେ ବିପଦପୂର୍ଣ୍ଣ ସୁନାମି ତରଙ୍ଗ ସମ୍ଭବ। ଇଣ୍ଡୋନେସିଆର ଏକ ଭୂତାତ୍ତ୍ୱିକ ସଂସ୍ଥାର ରିପୋର୍ଟ ଅନୁଯାୟୀ ଭୂମିକମ୍ପର ଅଧ ଘଣ୍ଟା ମଧ୍ୟରେ, ସୁଲାୱେସି ଦ୍ୱୀପର ଉତ୍ତରରେ ଥିବା ଉତ୍ତର ମିନାହାସାରେ ୭୫ ସେମି ଏବଂ ବିଟୁଙ୍ଗରେ ୨୦ ସେମି ପର୍ଯ୍ୟନ୍ତ ଲହରି ରେକର୍ଡ କରାଯାଇଥିଲା। ପରେ ଦୁଇ ଘଣ୍ଟା ପରେ ସୁନାମି ଚେତାବନୀ ପ୍ରତ୍ୟାହାର କରି କହିଛି ଯେ ବିପଦ ଏବେ ଚାଲିଯାଇଛି।
