ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ ପରିସର ଆନୁକୂଲ୍ୟରେ ସପ୍ତାହବ୍ୟାପୀ ସଂସ୍କୃତ ସପ୍ତାହ ମହୋତ୍ସବ-୨୦୨୬ ଶୁକ୍ରବାର ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାରୋହ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରାଖେଡ଼ିଙ୍କ ସଂରକ୍ଷଣ ରେ ଓ ପରିସରର ନିର୍ଦ୍ଦେଶକ ପ୍ରଫେସର ବୋଧ କୁମାର ଝା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।?ଏହି ଉଦ୍ଘାଟନୀ ସମାରୋହରେ ବିହାର ସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ସେ ସଂସ୍କୃତ ଭାଷାର ପ୍ରାଚୀନତା, ସମୃଦ୍ଧ ସାହିତ୍ୟ ଓ ଆଧୁନିକ ଯୁଗରେ ଏହାର ବ୍ୟାପକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସଂସ୍କୃତ କେବଳ ଗୋଟିଏ ସାଧାରଣ ଭାଷା ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଦର୍ଶନ ଏବଂ ସମଗ୍ର ଜ୍ଞାନ-ବିଜ୍ଞାନର ଅମୂଲ୍ୟ ଭଣ୍ଡାର। ?ଅଧ୍ୟକ୍ଷତା କରି ପରିସର ନିର୍ଦ୍ଦେଶକ ପ୍ରଫେସର ବୋଧ କୁମାର ଝା ସଂସ୍କୃତ ଭାଷାର ପ୍ରସାର ଓ ପ୍ରଚାର ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି ପାଇଁ ଏଭଳି ମହୋତ୍ସବର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ବୈଦିକ ମଙ୍ଗଳାଚରଣ, ରାଷ୍ଟ୍ରଗୀତ ଓ କୁଲଗୀତ ଗାନ କରାଯାଇଥିଲା। ଏହାପରେ ଛାତ୍ର ଆୟୁଷ୍ମାନ ହରେକୃଷ୍ଣ ପଣ୍ଡା ଓ ଛାତ୍ରୀ ଆୟୁଷ୍ମତୀ ଅଦିତି ମିଶ୍ର ଯୋଗାସନ ପ୍ରଦର୍ଶନ କରିଥିବା ବେଳେ ଆୟୁଷ୍ମତୀ ଅଦ୍ୱୈତା ପାଣିଗ୍ରାହୀ ସଂସ୍କୃତ ନୃତ୍ୟ ପରିବେଷଣ କରି ସଭାକୁ ମନ୍ତ୍ରମୁଗ୍ଧ କରିଥିଲେ।ଛାତ୍ର ଆୟୁଷ୍ମାନ ସ୍ୱୟମ୍ଭୁ ପ୍ରସାଦ କର ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକଙ୍କ ଦ୍ୱାରା ଅତିଥି ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ନନ୍ଦିଘୋଷ ମହାପାତ୍ର ପ୍ରାସ୍ତାବିକ ଭାଷଣ, ସହ-ନିର୍ଦ୍ଦେଶକ ପ୍ରଫେସର ମଖଳେଶ କୁମାର ଉପାଧ୍ୟାୟ ସାରସ୍ୱତ ଅତିଥି ଭାଷଣ ଏବଂ କାର୍ଯ୍ୟକ୍ରମ ମାର୍ଗଦର୍ଶିକା ପ୍ରଫେସର ଗୌରପ୍ରିୟା ଦାଶ ବିଶିଷ୍ଟ ଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।?ଶେଷରେ ଛାତ୍ରୀ ଆୟୁଷ୍ମତୀ ଅର୍ପିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଆୟୁଷ୍ମାନ ସନ୍ନତ କୁମାର ମିଶ୍ର ସମ୍ପୂର୍ଣ୍ଣ ମଞ୍ଚ ସଞ୍ଚାଳନ କରିଥିବା ବେଳେ ରାଷ୍ଟ୍ରଗାନ ସହ ସଭା ସାଙ୍ଗ ହୋଇଥିଲା।
