ବିଶାଖାପାଟଣା: ଆନ୍ଧପ୍ରଦେଶର ବିଶାଖ।।ପଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିବାହିତ ନୌସେନା କର୍ମଚାରୀ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହ ଖଣ୍ଡ ଖଣ୍ଡ କରି ଏକ ରେଫ୍ରିଜରେଟରରେ ରଖିବା ଘଟଣା ସମସ୍ତଙ୍କୁ ବିଚଳିତ କରିଦେଇଛି। ଅଭିଯୁକ୍ତ ନୌସେନା କର୍ମଚାରୀ ଜଣକ ହେଉଛନ୍ତି ଚିନ୍ତାଦା ରବୀନ୍ଦ୍ର ଏବଂ ତାଙ୍କ ପ୍ରେମିକା ପୋଲିପାଲି ମୌନିକା ବୋଲି ପୋଲିସ କହିଛି। ବିଶାଖାପାଟଣାର ଗଜୁୱାକାରେ ସର୍କଲ ଇନ୍ସପେକ୍ଟର ଅଫ୍ ପୋଲିସଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଏଲଭି ନଗରର ଏକ ଘରେ ଘଟିଛି, ଯେଉଁଠାରେ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବାସଭବନ ଭିତରେ ଲୁଚାଇ ରଖାଯାଇଥିବା ମୃତଦେହର ଅବଶେଷ ପାଇଥିଲା। ସେଥିରୁ ଅଧା ଏକ ରେଫ୍ରିଜରେଟରରେ ରଖାଯାଇଥିଲା ବେଳେ ଅନ୍ୟ ଅଧା ଏକ ବାଗରେ ପ୍ୟାକ୍ କରାଯାଇଥିଲା। ଭାରତୀୟ ନୌସେନା ଜାହାଜ (ଆଇଏନଏସ) ଡେଗାରେ ନିୟୋଜିତ ୩୦ ବର୍ଷୀୟ ନୌସେନା ଅଧିକାରୀ ରବୀନ୍ଦ୍ର ୨୦୨୧ ମସିହାରେ ଏକ ଡେଟିଂ ଆପ୍ ‘ମିଙ୍ଗଲ’ରେ ୩୧ ବର୍ଷୀୟ ମୌନିକାଙ୍କ ସହିତ ସଂପର୍କ ଗଢ଼ିଥିଲେ। ପୋଲିସ କହିଛି ଯେ ଉଭୟ ପ୍ରାୟତଃ ବିଶାଖାପାଟଣାର ବିଭିନ୍ନ ସ୍ଥାନରେ, ଯେପରିକି ପାର୍କ ଏବଂ ଥିଏଟରରେ ଦେଖା ହେଉଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ରବୀନ୍ଦ୍ରଙ୍କ ସ୍ତ୍ରୀ କିଛି ସପ୍ତାହ ପୂର୍ବେ ବିଜୟନଗରମରେ ତାଙ୍କ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ। ଏହି ମଉକାରେ ରବୀନ୍ଦ୍ର ରବିବାର ଅପରାହ୍ନରେ ତାଙ୍କ ପ୍ରେମିକା ମୌନିକାଙ୍କୁ ଡାକିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା ଏବଂ ରବୀନ୍ଦ୍ର ମୌନିକାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ପରେ ସେ ଏକ ଅନଲାଇନ୍ ଡେଲିଭରି ପ୍ଲାଟଫର୍ମରୁ ଏକ ଛୁରି କିଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିବା ଅଭିଯୋଗ ହୋଇଛି। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ରବୀନ୍ଦ୍ର ମୌନିକାଙ୍କ ମୁଣ୍ଡ, ଗୋଡ ଏବଂ ହାତକୁ ଧଡ଼ିରୁ ଅଲଗା କରିଥିଲେ। ସେ ଗୋଡ ଏବଂ ନିତମ୍ବକୁ ଏକ ଟ୍ରଲି ବ୍ୟାଗରେ ପ୍ୟାକ୍ କରିଥିଲେ। ଧଡ଼ିକୁ ଫ୍ରିଜରେଟରରେ ରଖିଥିଲେ ଏବଂ ମୁଣ୍ଡ ଏବଂ ହାତକୁ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ସେ ସେଗୁଡ଼ିକୁ ପୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
