ନୂଆଦିଲ୍ଲୀ: ଶୁକ୍ରବାର ଲଦାଖର ଜୋଜିଲା ପାସ୍ରେ ଜିରୋ ପଏଣ୍ଟରେ ହିମସ୍ଖଳନ ହେବା ପରେ ଅତି କମରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରବଳ ତୁଷାରପାତ ତଳେ ୫ଟି ଗାଡ଼ି ଚାପି ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଗଣ୍ଡେରବଲ ପୋଲିସ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଚଳାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରୁ କାର୍ଗିଲ ଅଭିମୁଖେ ଯାତ୍ରା କରୁଥିଲେ। ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ସୀମା ସଡ଼କ ସଂଗଠନ ସମେତ ସରକାରୀ ଏଜେନ୍ସିଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଁ କାରଗିଲର ଡିସି ଏବଂ ଏସଏସପିଙ୍କୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି। ବିପର୍ଯ୍ୟୟ ସହାୟତା ବାହିନୀ ଏବଂ ବିଆରଓ ସମେତ ସମସ୍ତ ସରକାରୀ ସଂସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି। ମୁଁ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛି ବୋଲି ସକ୍ସେନା ଏକ ପୋଷ୍ଟରେ ଲେଖିଛନ୍ତି।
