ବାରିପଦା /କରଞ୍ଜିଆ; କରଞ୍ଜିଆ ଥାନା, କେନ୍ଦୁମୁଣ୍ଡି ଅଞ୍ଚଳରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହାକୁ ଆଧାର କରି କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍ କେନ୍ଦୁମୁଣ୍ଡି ସ୍ଥିତ ବିଷ୍ଣୁ ଚରଣ ଦେଓ (୩୯)ଙ୍କ ଦୋକାନରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୋକାନରୁ ବିଭିନ୍ନ ପ୍ରକାରର ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ବିକ୍ରେତା ବିଷ୍ଣୁ ଚରଣ ଦେଓଙ୍କୁ ପୋଲିସ ଗିରଫ କରିଥିଲା। ଏନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୩୦୮/୨୬ମୂଳେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତକାରୀ ଅଧିକାରୀ ସବ୍-ଇନ୍ସପେକ୍ଟର ଛବିଳ ନାଏକଙ୍କ ସମେତ ପୋଲିସ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ। ପୋଲିସ ପକ୍ଷରୁ ବିଷ୍ଣୁଙ୍କୁ ନୋଟିସ୍ ପ୍ରଦାନ କରାଯିବା ସହ ଭବିଷ୍ୟତରେ ଏଭଳି ବେଆଇନ ଭାବେ ମଦ ବିକ୍ରି ନକରିବାକୁ ପରାମର୍ଶ ଦିଆଯାଇଛି।
