ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧିପାଟଣା ଛକ ନିକଟ ପଣ୍ଡା ଢ଼ାବା ପଛ ପାର୍ଶ୍ୱ ବିଲରୁ ଜଣଙ୍କ ମୃତ ଦେହ ଗୁରୁବାର ସକାଳେ ଉଦ୍ଧାର ହୋଇଛି।ମୃତକ ଜଣକ ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗ୍ରାମର ପପୁ ଦଳବେହେରା(୨୨)।ମୃତ ପପୁ ଦିବ୍ୟଙ୍ଗ ହୋଇଥିବା ବେଳେ ଦୀର୍ଘ ଦିନ ଧରି ପଣ୍ଡା ଢ଼ାବାରେ କାର୍ଯ୍ୟରତ ଥିବା ଜଣାପଡିଛି।ଖବର ମୁତାବକ ପଣ୍ଡା ଢ଼ାବାରେ ପପୁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ବେଳେ ବୁଧବାର ରାତିରେ ସହଯୋଗୀ ଶାନ୍ତନୁ ପ୍ରଧାନ ସହ କୌଣସି କାରଣରୁ ବଚସା ହୋଇଥିଲା।ଉଭାୟଙ୍କ ମଧ୍ୟରେ ବଚସା ତୀବ୍ର ରୂପ ନେଇଥିବା ବେଳେ ଶାନ୍ତନୁ ଧାରୁଆ ଅସ୍ତ୍ରରେ ପପୁକୁ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଢ଼ାବା ପଛ ପାର୍ଶ୍ୱ ବିଲକୁ ଫିଙ୍ଗି ଦେଇଥିବା ପୋଲିସକୁ କହିଥିଲେ। ଭୋର ସମୟରେ ଢ଼ାବା ମାଲିକକୁ ଏନେଇ ଶାନ୍ତନୁ ଜଣାଇବା ପରେ ଢ଼ାବା ମାଲିକ ମନୋରଞ୍ଜନ ବେହେରା କିଛି କର୍ମଚାରୀଙ୍କ ସହଯୋଗରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପପୂକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ସେଠାରେ ପପୁକୁ ମୃତ ଘୋଷଣା କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ,ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ତେବେ ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ କାହାର ହାତ ରହିଛି ଏବଂ କାହିଁକି ହତ୍ୟା କରାଯାଇଛି ସେନେଇ ଆଜି ଅପରାହ୍ନରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣା ନେଇ ଢ଼ାବା ମାଲିକଙ୍କ ସମେତ ତିନି ଜଣକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରହିଥିବା ଥାନାଧିକାରୀ ଶ୍ରୀ ପରିଡା କହିଛନ୍ତି।ବାଲୁଗାଁ ଥାନାରେ କେଶ ନଂ ୧୧୬/୨୬ ରେ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି।
