ଚଣ୍ଡିଖୋଲ: ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଏକ ଫୌଜଦାରୀ ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ମୁଦାଲାକୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କାର ଜୋରିମାନା ଆଦେଶ ଶୁଣାଇଛନ୍ତି । ସୂଚନା ମୁତାବକ ୨୦୨୧ ଡିସେମ୍ବର ୭ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ମନୋଜ କୁମାର ସାମଲ ଅଭିଯୋଗ କରିଥିଲେ ଯେ, ସେଦିନ ସନ୍ଧ୍ୟା ୫ ଘଟିକା ସମୟରେ ବଡ଼ଚଣା ଗ୍ରାମର ରଞ୍ଜନ କୁମାର ସାମଲ ଯେ କି ତାଙ୍କ ଭାଇ, ତାଙ୍କ ମାତା ସୁଷମା ସାମଲଙ୍କୁ ତାଙ୍କ ଜମି ବିକା ବାବଦକୁ ମିଳିଥିବା ଅର୍ଥର ତାଙ୍କ ଭାଗ ଟଙ୍କା ମାଗିଥିଲେ, ସେ ତାଙ୍କୁ ନ ଦେବାରୁ ରଞ୍ଜନ କୁମାର ସାମଲ ରାଗିଯାଇ ଏକ ବାଉଁଶ କିଳା ରେ ମାରାଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କ ମାତା ସୁଷମା ସାମଲଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଯାହାର କେଶ ନଂ- ୪୫୨/୨୦୨୧ ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଚଣ୍ଡିଖୋଲ କୋର୍ଟରେ ସି.ଟି. ନଂ- ୬୫/୨୦୨୨ ର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ, ମୁଦାଲା ରଞ୍ଜନ କୁମାର ସାମଲଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦,୦୦୦ ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ୬ ମାସର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅଡିସନାଲ ପି.ପି. ନଳିନୀକାନ୍ତ ମିଶ୍ର ପରିଚାଳନା କରୁଥିଲେ ।
