ଚାନ୍ଦବାଲି: ଚାନ୍ଦବାଲି ସଦର ବଜାର ଅଞ୍ଚଳରେ ଏକ ଘରେ ଲୁଟ୍ପାଟ୍ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ତ୍ରିପାଠୀଙ୍କ ଘରେ ଲୁଟେରାମାନେ ପଶି ତାଙ୍କ ବୃଦ୍ଧା ପତ୍ନୀଙ୍କ ହାତଗୋଡ଼ ବାନ୍ଧି ଲୁଟ୍କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲୁଟେରାମାନେ ଘରେ ପଶି ବୃଦ୍ଧାଙ୍କୁ ବାନ୍ଧି ଘରରୁ ଟଙ୍କା ଓ ସୁନାଗହଣା ସମେତ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିଲେ। ଘଟଣା ପରେ ପରିବାର ପକ୍ଷରୁ ଚାନ୍ଦବାଲି ପୋଲିସକୁ ଅଭିଯୋଗ କରାଯାଇଛି।ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କ ପରିଚୟ ଓ ଲୁଟ୍ ହୋଇଥିବା ସାମଗ୍ରୀ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଦିନ ଦ୍ୱିପ୍ରହରରେ ସଦର ବଜାର ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।
