କୁଜଙ୍ଗ: ଦିର୍ଘ ୫ ବର୍ଷ ହେଲା ଏକ ପ୍ରାଇଭେଟ୍ ଘରେ ଚାଲିଥିଲା ଜୁଆ ଆଡ୍ଡା। ପୋଲିସ ପାଖରେ ଥିଲା ସବୁ ଖବର କିନ୍ତୁ ଉପାୟ ଶୁନ୍ୟ ଥିଲା ପୋଲିସ। ଏଥିରେ କାମ କରୁଥିଲା ଏକ ସୁପର ବ୍ରେନ୍, ଯାହାକୁ ଭେଦ କରି ଜୁଆ ଆଡ୍ଡା ନିକଟରେ ପହଞ୍ଚିବା ପୋଲିସ ପାଇଁ ଥିଲା ଅସମ୍ଭବ। ଚୋର ଘର ସବୁବେଳେ ଅନ୍ଧାର ନଥାଏ, ଗ୍ରାମବାସୀଙ୍କ ସହଯୋଗ ରେ ଚଢାଉ କରି ମାଡ଼ି ବସିଲା ପୋଲିସ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। କୁଜଙ୍ଗ ଥାନା ଅନ୍ତର୍ଗତ ପାନପଲ୍ଲୀ ଗ୍ରାମରେ ଦିର୍ଘ ୫ ବର୍ଷ ହେଲା ଫିଲ୍ମ ଷ୍ଟାଇଲ ରେ ଚାଲିଥିଲା ଜୁଆ ଖେଳ। ସବୁ ଜାଣିଥିଲା ପୋଲିସ, ହେଲେ ଜାଗା ମୁଣ୍ଡରେ ପହଞ୍ଚିବା ବେଳକୁ କିଛି ପାଉନଥିଲା, ଖାଲି ହାତରେ ଫେରୁଥିଲା ପୋଲିସ। ଅପରାଧିମାନେ କିଏ , କେଉଁମାନେ ଏହାକୁ କରୁଛନ୍ତି ସବୁ ତଥ୍ୟ ଥାଇ ମଧ୍ୟ ପୋଲିସ ଆଖିରେ ଆଙ୍ଗୁଳି ଗୁଞ୍ଜି ବେଧଡକ ବୁଲୁଥିଲେ ଅପରାଧି। ଏହି ଜୁଆ ଆଡ୍ଡା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବହୁ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି। ଆଖପାଖ ଗ୍ରାମରେ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ପୋଲିସ କିଛି ବି କରିପାରୁ ନଥିଲା। ଯିଏ ବିରୋଧ କଲା ଏହି ଅଭିଯୁକ୍ତ ମାନେ ତାକୁ ଧମକାଉଥିଲେ, ନିଜର ଏବଂ ନିଜ ପରିବାର ର ସୁରକ୍ଷା ପାଇଁ ଚୁପ୍ ରହୁଥିଲେ ଗ୍ରାମବାସୀ।ଏହି ଜୁଆ ଆଡ୍ଡା ଜିଲ୍ଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ ମଧ୍ୟ ବିଫଳ ହେବାର କାରଣ ଖୋଜି ପାଉନଥିଲା ପୋଲିସ। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ କୁଜଙ୍ଗ ଆଇଆଇସି ଓ ତିର୍ତ୍ତୋଲ ଏସଡିପିଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହିତ ପ୍ରସ୍ତୁତ କରିଥିଲେ ଯୋଜନା। ଏହି ଜୁଆ ଆଡ୍ଡା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଗ୍ରାମର ବିଭିନ୍ନ ଛକରେ ପିଲାମାନଙ୍କୁ ଦରମା ଦେଇ ମେସେଞ୍ଜର ଭାବେ ନିଯୁକ୍ତ କରିଥିଲେ। ଯଦି ପୋଲିସ ଉକ୍ତ ଗ୍ରାମକୁ ଯେକୌଣସି ବାଟରେ ପଶିବାକୁ ଉଦ୍ୟମ କରିବ ତେବେ ସେମାନେ ଖବର ଦେଇ ଦେଉଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ ସ୍ଥାନରେ କେହି ନଥାନ୍ତି। ଯେଉଁଥିପାଇଁ ବାରମ୍ବାର ସେମାନଙ୍କୁ ଧରିବାରେ ବିଫଳ ହେଉଥିଲା। ତେବେ ଗତକାଲି କୁଜଙ୍ଗ ଆଇଆଇସି ଶିବାଶିଷ ଦାସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ସାଧା ପୋଷାକରେ ଉକ୍ତ ଗ୍ରାମକୁ ବିଭିନ୍ନ ପଟରୁ ପଶିଥିଲେ। ସେଠାରେ ଏକ ପ୍ରାଇଭେଟ୍ ଘରେ ଜୁଆ ଖେଳ ଚାଲିଥିବା ବେଳେ ମାଡ଼ି ବସିଥିଲେ ପୋଲିସ। ଉକ୍ତ ଘର ଭିତରେ ଥିବା ସମସ୍ତ ୧୦ ଜୁଆଡି ଙ୍କୁ ଗିରଫ କରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ। ଉକ୍ତ ୧୦ ଜଣଙ୍କ ମଧ୍ୟରେ ଏହି ଜୁଆ ଖେଳ ର ମୁଖ୍ୟ ଆୟୋଜନ କାରି ଙ୍କ ସମେତ ସ୍ଥାନୀୟ ସ୍କୁଲ ର ଏକ ଶିକ୍ଷକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ନଗଦ ୮୪ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ଜବତ। ତିନୋଟି ବାଇକ , ତିନୋଟି ମନିପର୍ସ ଓ ୩୦ ଟି ତାସ୍ ଜବତ କରାଯାଇଛି। ଉକ୍ତ ଘରର ମାଲିକ ଙ୍କ ସମେତ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ତିର୍ତ୍ତୋଲ ଏସଡିପିଓ।ଅଜୟ କୁମାର ଦାସ। ଚୋର ଯେତେ ଚାଲାକ୍ ହେଲେ ମଧ୍ୟ ଆଇନ ହାତରୁ ଖସି ପାରିବ ନାହିଁ, ଦିର୍ଘ ୫ ବର୍ଷ ଧରି ସୁସଂଗଠିତ ଭାବେ ବେଆଇନ ଜୁଆ ଆଡ୍ଡା ଜମାଇଥିବା ଅପରାଧୀ ଏବେ ଜେଲରେ ଥିବା ବେଳେ ଏଥିରେ ସହଯୋଗ କରୁଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଧରିବାକୁ ସାଧାରଣରେ ଦାବି ହେଉଛି।
