ଚଣ୍ଡିଖୋଲ: ବିଦ୍ୟୁତ ସାର୍ଟସର୍କିଟରୁ ତିନି ବଖରା ଘର ସହିତ ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଏମିତି ଏକ ଘଟଣା ଆଜି ଦିନ ୩ ଟାରେ ବଡ଼ଚଣା ବ୍ଲକ ତଥା ଦର୍ପଣ ତହସିଲ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ଉଦୟନଗର ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଥିଲା ।ସୂଚନା ମୁତାବକ ଏହି ଗ୍ରାମର ଅଜୟ କୁମାର ରାଉତରାୟଙ୍କ ଘରେ ହଠାତ ବିଦ୍ୟୁତ ସର୍ଟସର୍କିଟ ଘଟି ସେଥିରୁ ନିଆଁ ବାହାରି ତାଙ୍କର ଦୁଇ ବଖରା ଚାଳ ଘର ଜଳିଯାଇଥିଲା । ପରେ ଏହି ନିଆଁରୁ ତାଙ୍କ ସାନ ଭାଇ ବିଜୟ କୁମାର ରାଉତରାୟଙ୍କ ଘରକୁ ବ୍ୟାପି ତାଙ୍କର ମଧ୍ୟ ଗୋଟିଏ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା ।ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଖବର ପାଇ ବାଇଶିମୌଜା ରାଜସ୍ୱ ନିରୀକ୍ଷକ ସେଠାକୁ ଆସି ଉଭୟ ପରିବାରକୁ ପଲିଥିନ ପ୍ରଦାନ କରିଥିଲେ । ଏହି ଖବର ପାଇ ବିଧାୟକ ଅମର କୁମାର ନାୟକ ଦୁଃଖ ପ୍ରକାଶ ପୂର୍ବକ ଅଗ୍ନି ବିପନ୍ନ ପରିବାରକୁ ସମବେଦନା ଜଣାଇଛନ୍ତି ।
