ପାରାଦୀପ: କନକ ନ୍ୟୁଜ ର ପାରାଦୀପ ପ୍ରତିନିଧି ତଥା ଜଣାଶୁଣା ଯୁବ ସାମ୍ବାଦିକ ରଶ୍ମୀ ରଞ୍ଜନ ରାଉତରାୟ (୪୪) ଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସେ ରବିବାର ରାତିରେ କାର୍ଯ୍ୟ ସାରି ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ସମ୍ମୁଖ ରାସ୍ତା ଦେଇ ମଧୁବନ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏକ ଟ୍ରଲି ରିକ୍ସା ସହିତ ଜୋରରେ ଧକ୍କା ହୋଇଥିଲା। ସେଠାରେ ସେ ଗୁରୁତର ହେବାରୁ ପ୍ରଥମେ ପୋର୍ଟ ହସ୍ପିଟାଲ ଓ ପରେ ଅତ୍ୟାଧୁନିକ କେଏମଏସ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ମୁଣ୍ଡ ଭିତରେ ରକ୍ତ ଜମାଟ ହୋଇଥିବାରୁ ଅସ୍ତ୍ରୋପଚାର ର ଆବଶ୍ୟକ ରହିଥିବା ବେଳେ ରଶ୍ମିଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ପାରାଦୀପରେ ଅତ୍ୟାଧୁନିକ ଭେଣ୍ଟିଲେଟର ସୁବିଧା ଥିବା ଆମ୍ବୁଲାନ୍ସ ନଥିବାରୁ କଟକରୁ ଆମ୍ବୁଲାନ୍ସ ମଗା ଯାଇଥିଲା । ତେବେ ଏସବୁ କାର୍ଯ୍ୟ ସମୟ ସାପେକ୍ଷ ଏବଂ ତୁରନ୍ତ ଅସ୍ତ୍ରୋପଚାର ନହୋଇ ପାରିବାରୁ କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ରଶ୍ମିଙ୍କ ବିୟୋଗରେ ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି।
