ବାରିପଦା; ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ବିରୋଧରେ ଚଢ଼ାଉ କରାଯାଇଛି। ବିଭାଗୀୟ କର୍ମଚାରୀଙ୍କ ଏକ ଟିମ୍ ଚଢ଼ାଉ କରି ତିନୋଟି ସ୍ଥାନରୁ ବିପୁଳ ପରିମାଣର ବେଆଇନ ମଦ ପ୍ରସ୍ତୁତି ସାମଗ୍ରୀ ଓ ଦେଶୀ ମଦ ଜବତ କରି ନଷ୍ଟ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଟିମ୍ ପକ୍ଷରୁ ଚମ୍ପାଝର ପଞ୍ଚାୟତ ଦିଲିଗଞ୍ଜ, ତରାମରା, ଗିରିବେଡ଼ା ଓ ହାତିଗୋଡା ପଞ୍ଚାୟତ ର ଅସନକୁଦର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦାବିଦାର ବିହୀନ ଭାବେ ପଡ଼ିଥିବା ତିନୋଟି ମାମଲା ସାମ୍ନାକୁ ଆସିଥିଲା। ଏହି ତିନୋଟି ମାମଲାକୁ ନେଇ କେସ୍ ନମ୍ବର ୮୮, ୮୯ ଓ ୯୦ ମୂଳେ ମାମଲା ରୁଜୁ କରାଯାଇଥିବାର ସୂଚନା ମିଳିଛି। ଚଢ଼ାଉରେ ମୋଟ ୭,୭୫୦ ଲିଟର ମହୁଲ ପୋଚ ଏବଂ ୨୪୫ ଲିଟର ମହୁଲି ମଦ ଠାବ ହୋଇଥିଲା। ବେଆଇନ ଭାବେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ଏହି ବିପୁଳ ପରିମାଣର ମହୁଲ ପୋଚ ୱାଶ୍ ଦେଶୀ ମଦକୁ ବିଭାଗୀୟ ନିୟମ ଅନୁଯାୟୀ ନଷ୍ଟ କରାଯାଇଛି। ଏହି ଚଢ଼ାଉ ରେ ଠାକୁରମୁଣ୍ଡା ଅବକାରୀ ଥାନା ଓଆଇସି ଲକ୍ଷ୍ମୀଧର ମାଝୀ, ଏଏସଆଇ ଲକ୍ଷ୍ମଣ ନାୟକ, ଚନ୍ଦ୍ରକାନ୍ତ ମୁଦୁଲି , ସସ୍ମିତା ବେହେରା ପ୍ରମୁଖ ସାମିଲ ଥିଲେ। ବେଆଇନ ମଦ ପ୍ରସ୍ତୁତି ଓ କାରବାର ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
