ସିମଲା: ଶନିବାର ସକାଳେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଟିସା-ବୈରାଗଡ଼ ରାସ୍ତାରେ ଚାଲୁଜ ମୋର୍ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଏବଂ ୧୧ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ଟି ବୈରାଗଡ଼ରୁ ଚମ୍ବା ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ଚାଲୁଜ ମୋର୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମୟରେ ବସ୍ରେ ପ୍ରାୟ ୧୫ରୁ ୨୦ ଜଣ ଯାତ୍ରା କରୁଥିବା ଜଣାପଡ଼ିଛି। ମୃତ ସାତ ଜଣଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଏବଂ ତିନି ଜଣ ମହିଳା ଅଛନ୍ତି। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଟିସାସ୍ଥିତ ସିଭିଲ୍ ହସ୍ପିଟାଲକୁ ପଠାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଟିସା ପୋଲିସ ଷ୍ଟେସନର ଅତିରିକ୍ତ ଏସଏଚଓ ଅନୁଭବ ଶର୍ମା ଘଟଣାର ସତ୍ୟତା ପ୍ରମାଣ କରିଛନ୍ତି।
