ସତ୍ୟବାଦୀ /ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର – ସୁଆଣ୍ଡୋ ନିକଟରେ ପ୍ରବାହିତ ପୂଣ୍ୟତୋୟା ଭାର୍ଗବୀନଦୀରେ ମହାବାରୁଣୀ ସ୍ନାନତିଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ନମଶିବାୟ ମନ୍ତ୍ରଧ୍ୱନୀ, ହରିବୋଲ ଓ ହୁଳହୁଳିରେ ତୀର୍ଥସ୍ଥଳୀ ପ୍ରକମ୍ପିତ ହୋଇଉଠିଥିଲା । ସକାଳ ଖେଚୁଡ଼ି ଧୂପ ସରିବାପରେ ବଳପୁର ଗ୍ରାମର ବାଲୁଙ୍କେଶ୍ୱର ମହାଦେବ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କୁ ନିମନ୍ତ୍ରଣ କରିବାକୁ ବିମାନରେ ବିଜେକରି ଯାଇଥିଲେ । ମୁକ୍ତିମଣ୍ଡପରେ ଉଭୟ ଠାକୁରଙ୍କ ପନ୍ତିଭୋଗ ଆଳତି ଉପଚାର ପରେ ଘଣ୍ଟ , ଘଣ୍ଟା , ଛତି , ତ୍ରାସ , ବୈରଖ ବାଜା ବାଜି ସଲଟନରେ ଭ୍ରୁଗୁଘାଟସ୍ଥ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ପ୍ରଶାସନ ପକ୍ଷରୁ ବାରିକେଟ୍ , ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ବଳ ମେଳା ପଡିଆ , ସୁଆଣ୍ଡୋ ବ୍ରିଜ , ଜାଗେଶ୍ୱରୀ ଠାକୁରାଣୀଙ୍କ ପୀଠ ଓ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ମୁତୟନ ରହିଥିଲେ । ସେହିପରି ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ଯାଧରପୁର କୁଣ୍ଡଳେଶ୍ୱର ମହାଦେବ ସୁସଜ୍ଜିତ ବିମାନରେ ବିଜେ କରି ଘଣ୍ଟ ଘଣ୍ଟା ,ଛତି ତ୍ରାସ , ଆଲଟ ଚାମର, ମଶାଲ , ବାଜା ବାଜି , ଘୋଢାନାଚ ସହ ଲୋକକଳା ଓ ସଂକିର୍ତ୍ତନ ସହ ବର୍ଣ୍ଣାଢ୍ୟ ପଟୁଆରରେ ବାରୁଣୀ ତୀର୍ଥ ମଣ୍ଡପକୁ ବିଜେ କରିଥିଲେ ।

ନଦୀରୁ ସେବାୟତ ମାନେ ତୀର୍ଥଜଳ ଆଣି ଚତୁଶମ୍ଭୁଙ୍କୁ ତୀର୍ଥ ସ୍ନାନ କରିବା ପରେ ଭୋଗ ଆଳତୀ ଉପଚାର କରାଯାଇ ଥିଲା । ଏହାପରେ ଶ୍ରଦ୍ଧାଳୁମାନେ ନଦୀରେ ବୁଡ ପକାଇଥିଲେ । ମାନସିକଧାରୀ ମାନେ ନିଜ ସନ୍ତାନ ମାନଙ୍କୁ ମୁଣ୍ଡନ ତାର୍ଥରେ କରିଥିଲେ । ସାକ୍ଷୀଗୋପାଳ ମନ୍ଦିରରୁ ତୀର୍ଥ ଭୋଗ କରାଯାଇ ଥିଲା । ଷୋହଳ ଶାସନ , ବତିଶ କରବାଡ , ଓ ପିପିଲି, ଡେଲାଙ୍ଗ, କାକଟପୁର, ନିମାପଡ଼ା, ଗୋପ ପୁରୀ ସଦର,ଭୁବନେଶ୍ୱର ପ୍ରମୁଖ ସ୍ଥାନରୁ ସହସ୍ରାଧିକ ଭକ୍ତ ମେଳା ପଡିଆରେ ପୁରୀ ଜିଲାର ପ୍ରସିଦ୍ଧ ଚୁଡାଘସା ପ୍ରସ୍ତୁତ କରି ଖଇ କଦଳୀ, ସେଓ ନଡିଆ ଆଦି ଫଳମୂଳ ଠାକୁରଙ୍କୁ ଭୋଗଲାଗି କରିଥିଲେ । ନଦୀ ତୁଠରେ ଭକ୍ତମାନେ ବାଲୁକା ଲିଙ୍ଗ ସ୍ଥାପନ କରି ପୂଜାଅର୍ଚ୍ଚନା କରିବା ସହ ପିତ୍ରୁପୁରୁଷଙ୍କୁ ତର୍ପଣ କରିଥିଲେ । ଅଘଟଣକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ନଦୀରେ ବୋଟିଂ ବ୍ଯବସ୍ଥା କରାଯାଇ ଥିଲା । ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ , ଅତିରିକ୍ତ ତହସିଲଦାର ଓ ମ୍ ପ୍ରକାଶ ପ୍ରଧାନ , ବିଡିଓ ଦେବାଶିଷ ନାୟକ ମାଜିଷ୍ଟ୍ରେଟ୍ ଭାବେ ରହିଥିଲେ । ବରାଳ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି , ବଳପୁର ବାଲୁଙ୍କେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ଦାୟିତ୍ୱ ସହକାରେ କାର୍ଯ୍ୟ ପରିଚାଳନା କରିଥିଲେ । ବିଧାୟକ ଓମ୍ ପ୍ରକାଶ ମିଶ୍ , ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ , ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା , ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ସ୍ଥାନୀୟ ସରପଞ୍ଚ ପ୍ରମୁଖ ମେଳା ବୁଲି ଦେଖିଥିଲେ । ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ପାନୀୟଜଳ ବଣ୍ଟନ ଓ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରିଥିଲେ । ରାତିରେ ବଳପୁର ଗାଁରେ ବାଲୁଙ୍କେଶ୍ୱର ମହାଦେବ ଦୁଆରିଭୋଗ କରାଯାଇ ମାତ୍ରୁ ପୀଠରେ ଖୁଣ୍ଟି ଲାଗି କରାଯାଇ ଥିଲା । ସେହିପରି ଲୋକେଶ୍ୱର ମହାଦେବ ଗାଁରେ ଦୁଆରିଭୋଗ ସରିବା ପରେ ହରିହର ଭେଟ ନୀତି କରାଯାଇ ଖୁଣ୍ଟି ଲାଗି ହୋଇଥିଲା । ରାତିରେ ସାଂସ୍କୃତିକ କାର୍ଯ୍ଯକ୍ରମ ଗ୍ରାମକୁ ପକ୍ଷରୁ ହୋଇଥିଲା । ୩୧୬ନଂ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପଟ୍ଟନାୟିକିଆ ସୁଆଣ୍ଡୋ ରାସ୍ତା ଓ ବଳଙ୍ଗା ଗବକୁଣ ରାସ୍ତା ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ମେଳା ପଡିଆରେ ଉଠାଦୋକାନୀମାନେ ପସରା ମେଲାଇ ଭଲ ବିକାକିଣା କରିଥିଲେ । ଖଇ କୋରା କଦଳୀ ନାନାଦି ଫଳମୂଳ ଭୋଗ ସମଗ୍ରୀ ଦଦୋକାନରେ ଭିଡ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା ।
