ପୁରୀ: ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ଠାରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଂଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ସମସ୍ତ ଜିଲ୍ଲା ସ୍ତରୀୟ ସରକାରୀ ଯୋଜନା କାର୍ଯ୍ୟଉପରେ ଶନିବାର ସମୀକ୍ଷା କରାଯାଇଥିଲା । ବୈଠକରେ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ସର୍ବ ପ୍ରଥମେ ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଶତପଥୀ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ପାଇପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ଜଳଯୋଗାଣ ସମ୍ପର୍କରେ ବିଭାଗୀୟ ଅଧିକାରୀ ତାଙ୍କର ମତ ରଖିଥିଲେ । ପୂର୍ତ୍ତବିଭାଗର ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଜିଲ୍ଲାର ବିଭିନ୍ନ ସମ୍ପୂର୍ଣ ଓ ଅସମ୍ପୂର୍ଣ୍ଣ ରାସ୍ତାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ କ୍ଷ ନୂତନ ରେଳ ଲାଇନ ଓ ଏରୋଡୋମୋ ପଡ଼ିଆ ନିମନ୍ତେ ଆବଶ୍ୟକ ଥିବା ଜମିର ପରିମାଣ ସମ୍ବନ୍ଧରେ ଭୂ ଅର୍ଜନ ଅଧିକାରୀଙ୍କ ଠାରୁ ଅବଗତ ହୋଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ବ୍ଲକ ଶିକ୍ଷଧିକାରୀଙ୍କ ଅଭାବ ସମ୍ପର୍କରେ ଅବଗତ କରିଥିଲେ । ଅର୍ଥ ବିଭାଗର ପ୍ରମୁଖ ସଚିବ ସଂଜୀବ କୁମାର ମିଶ୍ର ୨୦୩୬ ମସିହା ତଥା ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି କରିବା ସମ୍ବନ୍ଧରେ ସୂଚାଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶରତ ଚନ୍ଦ୍ର ମହାପାତ୍ର, ପୌର ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ଦେବାଶିଷ ମହାପାତ୍ର, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ମଧ୍ୟ ସଭାରେ ଉପସ୍ଥିତ ଥିଲେ।
