କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକରେ ସରକାରୀ ଯୋଜନାର କିଭଳି ଅପବ୍ୟୟ ହେଉଛି, ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଧକୋଠା-କୁଣ୍ଡାକୋଟ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୭୨ ଘଣ୍ଟା ନପୁରୁଣୁ ପିଚୁ ଉଠିବା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତାଟି ଏବେ ଏଭଳି ଅବସ୍ଥାରେ ଅଛି ଯେ ହାତରେ ସାମାନ୍ୟ ମାରୁ ମାରୁ ପିଚୁର ପରସ୍ତ ଫଡାଫଡା ହୋଇ ଉଠିଆସୁଛି। ସୂଚନା ମୁତାବକ ୨୦ ନମ୍ବର ଜାତୀୟ ରାଜପଥ ଧକୋଠା ଛକ ଠାରୁ କୁଣ୍ଡାକୋଟ ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୨୩ ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲା। ତେବେ କାର୍ଯ୍ୟ ଆରମ୍ଭରୁ ହିଁ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଗତ ଜାନୁଆରୀ ୮ ତାରିଖରେ ପୁରୁଣା ପିଚୁ ଉପରେ ସିଧାସଳଖ ନୂଆ ପିଚୁ ପକାଇବାକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିବାରୁ କାମ କିଛି ଦିନ ପାଇଁ ବନ୍ଦ ରହିଥିଲା। କିନ୍ତୁ ପୁଣି ଥରେ କାମ ଆରମ୍ଭ ହୋଇ ରାତିଅଧିଆ ତରବରିଆ ଭାବେ ପିଚୁ ପକାଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ରାସ୍ତାରେ କୌଣସି ସୂଚନା ଫଳକ ନଥାଇ କାର୍ଯ୍ୟ କରାଯାଇଥିବାରୁ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏବଂ ଉପଯୁକ୍ତ ମାନର ସାମଗ୍ରୀ ବ୍ୟବହାର ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାଟି ଧୂଳି ସଫା ନକରି ଉପରେ ପିଚୁର ପ୍ରଲେପ ଦିଆଯାଇଛି। ଯାହା ଫଳରେ ମାତ୍ର ୩ ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠି ଗାଡ଼ି ମଟର ଚଳାଚଳରେ ଅସୁବିଧା ସୃଷ୍ଟି ହେଲାଣି। ଏହି ଅନିୟମିତତା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କମଳାକାନ୍ତ ରାଉତଙ୍କୁ ପଚାରିବାରୁ ରାତିରେ ବାଲି ବୋଝେଇ ଭାରିଯାନ ଚଳାଚଳ କରିବା ଯୋଗୁଁ ପିଚୁ ସେଟ୍ ହୋଇପାରିନଥିବା କହିଥିବା ବଳେ ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବା କଥା ପ୍ରକାଶ କରିଛନ୍ତି।
