କଟକ: କଟକ ଜଗତପୁର ପଣ୍ଡା ଟାୟାରରେ କାର୍ଯ୍ୟରତ ଜଣେ ଯୁବକକୁ ପରକ୍ରୀୟା ପ୍ରୀତି ଅଭିଯୋଗରେ ଛୁରା ମାଡ଼। ଆହତ ଅବସ୍ଥାରେ କର୍ମଚାରୀ ମାନେ ଯୁବକକୁ ଉଦ୍ଧାର କରି ନିକଟସ୍ଥ ସଦ୍ ଗୁରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆହତ ଯୁବକଙ୍କ ନାମ ସଂଜୀବ ଶୁକ୍ଳା ଓରଫ କାଳିଆ ବୋଲି ଜଣାପଡିଛି। ଜଗତପୁର ଗୋଲେଇ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ପଣ୍ଡା ଟାୟାରରେ କାର୍ଯ୍ୟରତ ଜଣେ ଯୁବକଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଛୁରାମାଡ଼ କରି ନିଜେ ଚାଲି ଚାଲି ଜଗତପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା ସମୟରେ ପୁଲିସ୍? ପହଞ୍ଚି ଉକ୍ତ ବ୍ୟକ୍ତିକୁ କାବୁ କରିବା ସହ ହାତରେ ଧରି ଥିବା ଛୁରୀ ଟିକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ୪୮ ନଂ ୱାର୍ଡ ଶିକାରୀ ସାହିରେ ଆହତ ସଂଜୀବ ଶୁକ୍ଳା ରହୁଥିବାବେଳେ ଆକ୍ରମଣ କାରୀ ବିବେକାନନ୍ଦ ବସ୍ତିଆ ଜଗତପୁର ସ୍ଥିତ ନାନକାର ଗାଁରେ ଭଡ଼ା ରହୁଥିଲେ । ପଣ୍ଡା ଟାୟାର ପରିସର ମଧ୍ୟରେ ଘଟିଥିବା ଏଭଳି ଘଟଣାର ପ୍ରତ୍ୟକ୍ଷଦର୍ଶୀ କର୍ମଚାରୀ ମାନେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ଗଣମାଧ୍ୟମକୁ ସୂଚନା ଦେବାକୁ ମନା କରିଦେଇଛନ୍ତି। ତେବେ ଅଭିଯୁକ୍ତଙ୍କ ସ୍ତ୍ରୀ ସହିତ କାଳେ ସଂଜୀବଙ୍କ ଅନୈତିକ ସମ୍ପର୍କ ଥିବା ନେଇ ଏଭଳି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ତେବେ ଆକ୍ରମଣକାରୀ ବିବେକାନନ୍ଦଙ୍କୁ ପୁଲିସ୍? ଅଟକ ରଖି ଅଧିକ ପଚରାଉଚରା କରୁଛି।
