କନ୍ଧମାଳ: କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦ ଭୂଷଣ ଆଜି କୋଟଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ କୋଟଗଡ଼ର ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଅମର ପରାସେଟ୍ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଚିନ୍ମୟ ମହାନଦ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ ବିଷୟ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଦୁର୍ଗାପାଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା, ଆବଶ୍ୟକତା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀମାନଙ୍କୁ ମିଳୁଥିବା ସେବା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ।

ଏବଂ ଇର୍ପିଗୁଡ଼ାସ୍ଥିତ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ବିଦ୍ୟାଳୟର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଶିକ୍ଷକ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି କୋଟଗଡ଼ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଇଙଠ) ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝରିଆପଦା ମଧ୍ୟ ଜିଲ୍ଲାପାଳ ପରିଦର୍ଶନ କରିଥିଲେ। ଏହି ଅବସରରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଉନ୍ନତି, ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟ, ଆବଶ୍ୟକତା ଏବଂ ଉନ୍ନତିମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଅଞ୍ଚଳବାସୀଙ୍କୁ ଉନ୍ନତମାନର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
