ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ସୁନାନଦୀରୁ ଜଣେ ମସଲା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୋଡ଼ା ୱେଷ୍ଟ ବଡ ପୁଲିଆ ତଳେ ଥିବା ନଦୀରୁ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ମୃତଦେହ ମିଳିଥିଲା। ମୃତକ ହେଲେ ଯୋଡ଼ା କୁନ୍ଦୁରନାଲା ବସ୍ତିର ବାସିନ୍ଦା ତଥା ମସଲା ବ୍ୟବସାୟୀ ରାଜନନ୍ଦନ ଚୌଧୁରୀ (୫୮)। ସୂଚନା ଅନୁସାରେ, ସେ ଆଜି ସକାଳେ ମର୍ଣିଂ ୱାକ୍ ପାଇଁ ଘରୁ ବାହାରିଥିଲେ। ପରେ ତାଙ୍କ ମୃତଦେହ ସୁନାନଦୀର ବଡପୁଲିଆ ତଳେ ପଡ଼ିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇ ଥିଲେ। ତେବେ ଏହି ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ଯୋଡ଼ା ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବା ବେଳେ ପୋଲିସ ଘଟଣାର ସମସ୍ତ ଦିଗକୁ ଗୁରୁତ୍ୱର ସହ ତଦନ୍ତ ଚଳାଇ ଥିବା ଜାଣିବାକୁ ମିଳୁଛି।
