କନ୍ଧମାଳ: କନ୍ଧମାଳ ମାଓମୁକ୍ତ ହେବ କନ୍ଧମାଳ ଜିଲ୍ଲା। ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ। ୪ ଜଣ ହାର୍ଡକୋର୍ ମାଓବାଦୀଙ୍କ ସହ ୧୦ ଜଣ ନକ୍ସଲ ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓମୁକ୍ତ ଅଭିଯାନ ଦିଗରେ ବଡ଼ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରାଜ୍ୟ କମିଟି ମେମ୍ବର ସାନୁ ପୋଟାମ ଓରଫ ନିତୁ, ଡିଭିଜନାଲ କମିଟି ମେମ୍ବର ସାନ୍ତାଏ ସଲାମ ଓରଫ ଅନୁପା, ଏରିଆ କମିଟି ମେମ୍ବର ଲକ୍ଷ୍ମୀ ମାଡଭୀ ଓରଫ ସଙ୍ଗୀତା ଏବଂ ସୁନୀଲ ତାଲେମ ଅଛନ୍ତି। ନିତୁଙ୍କ ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେହିପରି ଅନୁପାଙ୍କ ଉପରେ ୩୨ ଲକ୍ଷ, ଲକ୍ଷ୍ମୀ ଓ ସୁନୀଲଙ୍କ ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ଏମାନଙ୍କ ସହିତ ୬ ଜଣ ପାର୍ଟି ମେମ୍ବର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏ ସମସ୍ତ ନକ୍ସଲ ନିଜ ନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ଇନସାସ, ଏସଏଲ ଆର ଭଳି ଆଧୁନିକ ଅସ୍ତ୍ର ରହିଛି। ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଆୟୋଜିତ ଏକ ସମାରୋହରେ ଅତିରିକ୍ତ ଡିଜି(ଆଣ୍ଟି ନକ୍ସଲ ଅପରେସ) ସଞ୍ଜୀବ ପଣ୍ଡା ଏହି ମାଓବାଦୀଙ୍କୁ ସମାଜର ମୂଖ୍ୟ ଧାରାକୁ ସ୍ୱାଗତ କରି ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ପୁଲିସ ଆଗରେ ଏକକାଳୀନ ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିବା ଏହା ପ୍ରଥମ ଘଟଣା। ଜିଲ୍ଲାରେ ଗତ ଦିନ ମାନଙ୍କରେ ନକ୍ସଲ ବିରୋଧୀ ଅଭିଯାନରେ ପୁଲିସକୁ ମିଳିଥିବା ସଫଳତା ପାଇଁ ଏସପି ହରିଶ ବିସିଙ୍କ ଯୋଜନାବଦ୍ଧ ଅପରେସନ ଏବଂ ଏସଓଜି ଯବାନ ଓ ସିଆରପିଏଫ ଭଳି ଅର୍ଦ୍ଧ ସାମରିକ ବାହିନୀଙ୍କ ସହଯୋଗକୁ ଏଡିଜି ଶ୍ରେୟ ଦେଇଛନ୍ତି। ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, ଆଇଜି (ଅପରେସନ) ଦୀପକ କୁମାର, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
